Unknown

 

 

 

 

 

 

 

 

 

 

 

ଅଳ୍ପ କଥାର ଗଳ୍ପ କେତୋଟି

ଅଧ୍ୟାପକ ବିଶ୍ୱରଞ୍ଜନ

 

।। ତୁମରି ସ୍ମୃତିରେ ।।

 

ଅଳ୍ପ ଦିନର ସମ୍ପର୍କ ଆମର ।

 

ସେ ସମ୍ପର୍କର କୌଣସି ସଂଜ୍ଞା ବା ସ୍ୱରୂପ ନାହିଁ–ରହିପାରେନା ।

 

କେବଳ ଭଲ ପାଇବାରେ ହିଁ ସେ ସମ୍ପର୍କର ଆରମ୍ଭ ଓ ଶେଷ ।

 

ଭଲ ପାଇବା କୌଣସି ଦାନ ବା ପ୍ରତିଦାନର ଅପେକ୍ଷା ରଖେନା ।

 

ତଥାପି ତୁମରି ଭଲ ପାଇବାର ମହାର୍ଘ ସ୍ମୃତିରେ ମୋ ଭଲ ପାଇବାର ସନ୍ତକ, ଏଇ ଛୋଟ ବହିଟି ସ୍ନେହ ଦେଇ ସାଇତି ରଖିବ ବୋଲି ଆଶା ।

 

ବିଶ୍ୱରଞ୍ଜନ

Image

 

ଅଳ୍ପ କଥା

 

ମୋର ପ୍ରଥମ ଗଳ୍ପ ବହି ‘‘କାଚ କଣ୍ଢେଇ’’ରେ ଅନେକଗୁଡ଼ିଏ ମିନିଗଳ୍ପ ଓ ଆଭାସଚିତ୍ର ରହିଥିଲା । ତା’ପରେ ସେହି ପର୍ଯ୍ୟାୟଭୁକ୍ତ ଗପ କେତୋଟି ମୁଁ ଲେଖିଥିଲି, ଯାହା ‘ଆସନ୍ତା କାଲି’, ‘ମାନସ’, ‘ନବଲିପି’, ‘ଗଳ୍ପଝର’, ‘ସଂଯୋଗ’, ‘ଅଧୁନା’, ‘ଧରିତ୍ରୀ’, ‘ନବପ୍ରଭା’, ‘ଶ୍ରୀକ୍ଷେତ୍ର’, ପ୍ରଭୃତି ପତ୍ରିକାମାନଙ୍କରେ ପ୍ରକାଶ ପାଇଥିଲା । ସମସ୍ତ ଛୋଟ ଗପକୁ ଏକାଠି ଗୁନ୍ଥି ବହିଟିଏ କରିବାର ବାସନା ଥିଲା । ଅଳ୍ପ କଥାର ଗଳ୍ପ କେତୋଟି ହେଉଛି ସେଇ ବାସନାର ଫଳ । ମୋର ଶୁଭାକାଂକ୍ଷୀ, ସୁପରିଚିତ ସାହିତ୍ୟିକ ଓ ଶିକ୍ଷାବିତ୍, ଡକ୍ଟର ଭାବଗ୍ରାହୀ ମିଶ୍ରଙ୍କର ଆନ୍ତରିକତା ଯୋଗୁଁ ‘ମୟୂର ପବ୍ଲିକେଶନ୍‌ସ’ ଏହାର ପ୍ରକାଶନ ଦାୟିତ୍ୱରେ ଗ୍ରହଣ କରିଛନ୍ତି । ଅଳ୍ପଦିନ ଭିତରେ ବହିଟିକୁ ଛାପି ଦେଇଛନ୍ତି, ପୁରୀ ଶ୍ରୀ ଗୋପାଳ ପ୍ରେସ୍‌ର ସତ୍ତ୍ୱାଧିକାରୀ ଶ୍ରୀ ପଟ୍ଟନାୟକ । ହଜି ଯାଇଥିବା ଗପକୁ ଶେଷ ମୁହୂର୍ତ୍ତରେ ଖୋଜି ଦେଇଛନ୍ତି ଶ୍ରଦ୍ଧେୟ ଲକ୍ଷ୍ମୀ ମଲ୍ଲିକ । ଛପା ଆରମ୍ଭରୁ ଶେଷଯାଏଁ ପ୍ରେସ୍‌କୁ ଦଉଡ଼ି କାର୍ଯ୍ୟ ତଦାରଖ କରିବାର ଗୁରୁ ଦାୟିତ୍ୱ ତୁଲାଇଛନ୍ତି ତରୁଣ ସାହିତ୍ୟିକ ସୌରେନ୍ଦ୍ର ସେନାପତି, ଏବଂ ମୋର ସମସ୍ତ ଗଳ୍ପକୁ ମନଦେଇ ପଢ଼ି ନିଜ କଲମ ମୁନରେ ଯିଏ ତାକୁ ସଜାଡ଼ିଛନ୍ତି ଏବଂ ବହି ଶେଷରେ ନିଜର ଭାବ ବ୍ୟକ୍ତ କରିଛନ୍ତି ସେ ହେଲେ ମୋର ପ୍ରିୟ ସାହିତ୍ୟିକ ବନ୍ଧୁ ଅଧ୍ୟାପକ ବଳରାମ ଦାସ । ପତ୍ରିକାର ସମ୍ପାଦକମାନଙ୍କ ସମେତ ଏହି ସମସ୍ତ ଶୁଭେଚ୍ଛୁ ବନ୍ଧୁମାନଙ୍କ ନିକଟରେ ମୋର ଆନ୍ତରିକ କୃତଜ୍ଞତା ପ୍ରକାଶ କରୁଛି ଏବଂ ମୋର ପ୍ରିୟ ପାଠକମାନଙ୍କୁ ଏଥର ‘‘ଅଳ୍ପ କଥାର ଗଳ୍ପ କେତୋଟି’’କୁ ନିଜର ଅନୁଭବ ଭିତରକୁ ନେବାପାଇଁ ଅନୁରୋଧ ଜଣାଉଛି ।

 

ବିଶ୍ୱରଞ୍ଜନ

 

ଏଥିରେ ଅଛି...

 

୧.

ମନ୍ଦିର

୨.

ଆଲୋକର ଅଶ୍ରୁ

୩.

ଏକ ଅବାନ୍ତର ଉପପାଦ

୪.

ଝଡ଼ ଓ ଝରାଫୁଲ

୫.

ବିଚିତ୍ର ବସନ୍ତ

୬.

ଏବଂ ବୃହନ୍ନଳା

୭.

ନିଆଁର ବୃତ୍ତ

୮.

ମାଟି ଓ ଆକାଶ

୯.

ହୋରି

୧୦.

ନଦୀ ସାଳନ୍ଦୀ : ମାସ ଶ୍ରାବଣ

୧୧.

ଶେଷ ସଙ୍ଗୀତ

୧୨.

ମିନି ଗପଟିଏ

୧୩.

ସମ୍ପର୍କ

୧୪.

ଟିକିପାଇଁ

୧୫.

ଆରଣ୍ୟକ

୧୬.

ପ୍ରତିଛାୟା

୧୭.

ଜୀବନର ଅନ୍ୟନାମ

୧୮.

ଉଡ଼ିଗଲା ଚଢ଼େଇର ଗୀତ

୧୯.

ଋତୁ ପରିକ୍ରମା

୨୦.

ମୁଁ, ମିତା, ଯୀଶୁ ଓ ଜଗନ୍ନାଥ

୨୧.

ରଜାଝିଅ କଥା

୨୨.

ଗୁଜବ

୨୩.

ମୁଁ ଅଧ୍ୟାପକ ବିଶ୍ୱରଞ୍ଜନ

୨୪.

ଚିଠି

୨୫.

ଝରାପତ୍ରର ମର୍ମର

୨୬.

ଦଶହରା

୨୭.

ଅସହାୟ ମଧ୍ୟବିନ୍ଦୁ

୨୮.

ଗଳ୍ପ ପାଇଁ ଗଳ୍ପଟିଏ (ଆଲୋଚନା)

Image

 

ମନ୍ଦିର

 

ମୁଁ ମନ୍ଦିରକୁ ପ୍ରାୟ ଯାଏନି ।

 

କାରଣ ତା’ ଭିତରେ ଜଳୁଥିବା ଆଲୁଅର ନିଆଁରେ ହଠାତ୍‌ ମୁଁ ଅନ୍ଧ ହୋଇଯାଏ ।

 

ବାପା କିନ୍ତୁ ସକାଳ-ସଞ୍ଜରେ ଦୁଇବେଳା ମନ୍ଦିରକୁ ନ ଗଲେ ଭାତଥାଳି ପାଖରେ ବସନ୍ତି ନାହିଁ । ମନ୍ଦିରକୁ ଗଲେ ସେ କୁଆଡ଼େ ଦିବ୍ୟଜ୍ୟୋତି ଲାଭ କରନ୍ତି – ତାଙ୍କର ଦୃଷ୍ଟିଶକ୍ତି ଫେରି ପାଆନ୍ତି ।

 

ବାପାଙ୍କର ଏ ନିତ୍ୟ ନିୟମିତ ମନ୍ଦିର—ଯାତ୍ରାର ଅଭ୍ୟାସ କିନ୍ତୁ ଆଦୌ ପୁରୁଣା ନୁହେଁ । ମୁଁ ଯେତେବେଳେ ସ୍କୁଲ—କଲେଜରେ ପଢ଼ୁଥିଲି–ବୋଉ ବେଶୀ ବାଧ୍ୟ ନକଲେ ବାପା ପ୍ରାୟ ମନ୍ଦିରର ଦୁଆର ମାଡ଼ୁ ନଥିଲେ । ବୋଉ ବା ଅନ୍ୟକେହି ଏଥିପାଇଁ ତାଙ୍କୁ ଯଦି ସମାଲୋଚନା କରନ୍ତି—ସେ କହନ୍ତି–‘‘ମୋ ଘର ତ ମୋ ଲାଗି ମନ୍ଦିର ।’’

 

ସତକୁ ସତ ଅଫିସ୍‌ ସମୟତକ ବାଦ୍‌ ଦେଲେ–ସେ ମୋ ଭାଇଭଉଣୀଙ୍କ ପାଖରେ ବସି ସେମାନଙ୍କର ପଢ଼ା ତଦାରଖ କରୁଥିଲେ । ମୋ ସାଙ୍ଗେ ମନଖୋଲା ଗପସପ କରୁଥିଲେ । ବାରିଆଡ଼େ ନାନା ଜାତିର ଫୁଲଫଳ ଗଛ ଲଗେଇ ବଗିଚା ତିଆରି କରୁଥିଲେ । ଘର ଭିତରେ କେଉଁଠି ଟିକିଏ ଧୂଳି ଦେଖିଲେ ତାକୁ ଝାଡ଼ିଝୁଡ଼ି ସଫାସୁତୁରା ରଖିବାରେ ସମୟ ଖର୍ଚ୍ଚ କରୁଥିଲେ ।

 

ସେଦିନ ଆଜି ଅନେକ ପଛରେ—ଚାକିରିବାକିରୀ କରି ମୁଁ ଏବେ ବାପାଙ୍କର ଭୂମିକାରେ ।

 

କିନ୍ତୁ ଆଶ୍ଚର୍ଯ୍ୟ ।

 

ଏବେ ଘରର ସବୁ ଅଳିଆ-ଆବର୍ଜନା ଓ ଆମର ଅଭାବ-ଅଭିଯୋଗ ପ୍ରତି ଆଖିକାନ ବୁଜି ଦେଇ ଖରାରେ-ତରାରେ ମନ୍ଦିରକୁ ଦଉଡ଼ିବାରେ ବାପାଙ୍କର ଅନେକ ଆନନ୍ଦ ।

 

ମୁଁ ଯେତେବେଳେ ତାଙ୍କୁ ପଛକଥା ମନେ ପକେଇଦିଏ—ସେ କହନ୍ତି, ‘‘ମୁଁ ସେତେବେଳେ ମୂର୍ଖ ଥିଲି । ମିଛ ମାୟା ସଂସାର ଭିତରେ ପଡ଼ି ଘାଣ୍ଟି ହେଉଥିଲି । ବିଳମ୍ୱରେ ହେଲେବି ମୁଁ ମୋର ଦିବ୍ୟ ଚେତନା ଏବେ ଫେରି ପାଇଛି ।’’

 

ଜୀବନରେ ଅଭିଜ୍ଞତା, ବୁଦ୍ଧି ଓ ବୟସର ବରଗଛରେ ମୁଁ ତ ସାମାନ୍ୟ ଓହଳଟିଏ ମାତ୍ର-

 

ମୋ ଅଳପ ବୁଦ୍ଧିରେ ମୁଁ ଖାଲି ଭାବୁଥିଲି—ଏ ସଂସାର ଯଦି ମିଛ ଓ ମାୟା—ଏହାର ସକଳ ସୃଷ୍ଟି ଯଦି ଅସାର—ଘର ଓ ପରିବାର ଯଦି ଯନ୍ତ୍ରଣାର ନର୍କପୁର—ଏ ସବୁର ସ୍ରଷ୍ଟା ଓ ବିଧାତାଙ୍କୁ ତା’ହେଲେ ‘ସତ୍‌’ ‘ଚିତ୍‌’ ଓ ‘ଆନନ୍ଦ’ କହି ଆମେ ଧ୍ୟାନ କରୁ କାହିଁକି ?

 

ମୁଁ ଜାଣିପାରୁନି—କେଉଁଟା ତାହାହେଲେ; ଠିକ୍‌ ! ବାପାଙ୍କର ଅତୀତର ବିଚାର ନା ବର୍ତ୍ତମାନର !!

 

ଆଦର୍ଶ ପ୍ରକୃତରେ କ’ଣ—ନିଜ ଘରକୁ ମନ୍ଦିର କରି ଗଢ଼ି ତୋଳିବାରେ ନା ମନ୍ଦିର’କୁ ‘ଘର’ ବୋଲି କହି ଆବୋରି ବସିବାରେ ?

Image

 

ଆଲୋକର ଅଶ୍ରୁ

 

ରାତି ହେଲେ ମୁଁ କାନ୍ଦେ ।

 

ଏକାନ୍ତ ନିରୋଳାରେ ବସି କାନ୍ଦେ । ଅତି ଗୋପନରେ ଲୁକ୍‌କାୟିତ ହୃଦୟର ସମସ୍ତ ବ୍ୟଥା ଓ ବେଦନା ହଠାତ୍‌ ଅଶ୍ରୁରେ ରୂପାନ୍ତରିତ ହୁଏ ।

 

ମୋର ଆଖି ହୁଏ, ଦୁଇଟି ଲୁହର ନଈ ।

 

ରାତି ପାହିଲେ ମୋ ଓଠରେ ଫୁଲ ଫୁଟେ । ରଙ୍ଗ ବେରଙ୍ଗର ଫୁଲ ।

 

ତେଣୁ ମୋ ଆଖିର ଲୁହକୁ କେହି କେବେ ଦେଖି ନାହାନ୍ତି । ଦେଖି ପାରନ୍ତି ନାହିଁ । ସବୁରି ଅଲକ୍ଷ୍ୟରେ ଓ ଅନ୍ଧାରରେ ତାହା ଆସେ ଓ ଯାଏ ।

 

ସେମାନେ ଭାବନ୍ତି ଏ ଦୁନିଆରେ ମୁଁ ବୋଧହୁଏ ସବୁଠାରୁ ବେଶୀ ସୁଖୀ କାରଣ ସକାଳର ସୂର୍ଯ୍ୟାଲୋକରେ ମୋ ଓଠରେ ଫୁଟିଥିବା ଫୁଲକୁ କେବଳ ସେମାନେ ଦେଖିଛନ୍ତି । ରାତିର ଅନ୍ଧାରରେ ଆଖିର ଅଶ୍ରୁକୁ କେବେ ଆବିଷ୍କାର କରିନାହାନ୍ତି ।

 

ସେମାନଙ୍କ ଦୃଷ୍ଟିରେ ମୁଁ ବୋଧହୁଏ ବେଶୀ ଧନୀ ।

 

କାରଣ ରାତି ପାହିଲେ ମୋ ଦେହରେ ଶୁଭ୍ର, ସୁନ୍ଦର, ଉଜ୍ଜ୍ୱଳ ପରିଧେୟକୁ ହିଁ ସେମାନେ ଲକ୍ଷ୍ୟ କରିଛନ୍ତି ।

 

ଅଥଚ ଜାଣନ୍ତି ନାହିଁ ଯେ, ରାତି ହେଲେ ବିନା ବସ୍ତ୍ରରେ ନଗ୍ନ ଦେହରେ ଭୂମି ସଂଲଗ୍ନ ହୋଇ ମୁଁ ନିଦ୍ରାଯାଏ ।

 

ସେମାନଙ୍କ ବିଚାରରେ ମୁଁ ବୋଧେ ସବୁଠାରୁ ଜ୍ଞାନୀ ।

 

କାରଣ ବିଭିନ୍ନ ସ୍ଥାନ ବିଶେଷରେ, ବହୁ ଜନସମାବେଶରେ ସେମାନେ ମୋତେ ଦୀର୍ଘ ସମୟ ଧରି ସୁନ୍ଦର, ପ୍ରାଣସ୍ପର୍ଶୀ ଭାଷାରେ ଅନେକ କିଛି ଭାଷିବାର ଶୁଣିଛନ୍ତି ।

 

ଅଥଚ ଜାଣନ୍ତି ନାହିଁ ଯେ ମୁଁ ଏକ ଜଳଶୂନ୍ୟ ଫମ୍ପା ମାଠିଆ ।

 

ସେମାନଙ୍କର ମୋ ସମ୍ପର୍କରେ ଏ ଅଜ୍ଞତା ଦେଖିଲେ ହଠାତ୍‌ ମୋର ଆତ୍ମପ୍ରତ୍ୟୟ ବଢ଼ିଯାଏ । ସେହି ଆତ୍ମପ୍ରତ୍ୟୟରୁ ଧୀରେ ଧୀରେ ଅହମିକା ମୁଣ୍ଡ ଟେକେ ।

 

କିନ୍ତୁ କେମିତି ସେମାନଙ୍କୁ ବୁଝାଇବି ଯେ, ରାତି ପାହିଲେ ଯେଉଁ ମଣିଷଟିକୁ ସେମାନେ ଚିହ୍ନିଛନ୍ତି ଏକ ସୁଖୀ, ଧନୀ, ଜ୍ଞାନୀ ଭାବରେ, ରାତିର ଅନ୍ଧାରରେ ସେ ମଣିଷ ହୋଇଯାଏ କେତେ ଦୁଃଖୀ, ଦରିଦ୍ର ଓ କେତେ ଅଜ୍ଞାନ । କେତେ ନିଃସଙ୍ଗ, କେତେ ନିଃସହାୟ ସତରେ ।

 

ସେମାନଙ୍କୁ କେମିତି ବୁଝେଇବି ଯେ, ରାତି ଯାହା ସକାଳ ତାହା ନୁହେଁ । ରାତି ଓ ସକାଳ ଭିତରେ ଯୋଜନ ଯୋଜନ ଦୂରତ୍ୱ । ଆକାଶ ପାତାଳର ପ୍ରଭେଦ ।

 

ରାତି ପାହିଲେ ମୁଁ ମୁଖା ପିନ୍ଧେ ।

 

ଏ ସଂସାରରେ ଚଳ-ପ୍ରଚଳ ହେବା ଲାଗି ମୋର ମୁଖାଟିଏ ଲୋଡ଼ାହୁଏ ।

 

କିନ୍ତୁ ରାତି ହେଲେ ସେ ମୁଖା ଆପଣା ଛାଏଁ ଛାଏଁ ଖସି ପଡ଼େ ।

 

ତେବେ କେଉଁଟା ମୋର ପ୍ରକୃତ ପରିଚୟ ?

 

ଏବଂ ଏ ପରିଚୟ କ’ଣ କେବଳ ମୋର ? ଏକାନ୍ତ ଭାବରେ ମୋର ???

Image

 

ଏକ ଅବାନ୍ତର ଉପପାଦ୍ୟ

 

ପୁଅଟି ଶୋଇଛି ।

 

ପାଖରେ ଝିଅଟିଏ ।

 

ସେଇ ଝିଅର ଫୁଙ୍ଗୁଳା ଛାତି ଉପରେ ପୁଅର ହାତ ।

 

ଗଭୀର ନିଦ୍ରାରେ ଅଚେତନ ସେ ଦୁଇଜଣ ।

 

ସେମାନଙ୍କ ପାଖରୁ ସାମାନ୍ୟ ଦୂରରେ ବସିଛି ମୁଁ । ଏକ ତୃତୀୟ ପୁରୁଷ ।

 

ଆଖିରେ ମୋର ନିଦ ନାହିଁ । ପଲକ ବିହୀନ ଦୃଷ୍ଟିରେ ମୁଁ ସେମାନଙ୍କୁ ଚାହିଁ ରହିଛି ।

 

ନା—ମୋ ମନରେ ସେମାନଙ୍କ ପ୍ରତି କୌଣସି ଈର୍ଷା ଆସୁନାହିଁ ।

 

ଇଚ୍ଛା କଲେ ମୁଁ ବି ଯାଇ ସେଇଟିର ଅନ୍ୟପଟେ ଶୋଇପାରନ୍ତି । ତା’ ଫୁଙ୍ଗୁଳା ଛାତିର ଆଶ୍ଚର୍ଯ୍ୟ ସୁନ୍ଦର ଗୋଲକ ଦୁଇଟିକୁ ନିଜ ହାତମୁଠା ଭିତରକୁ ନେଇ ଆସି ପାରନ୍ତି । କିମ୍ୱା ପୁଅଟିକୁ ଶୋଇଥିବା ଅବସ୍ଥାରେ ଖଟର ଗୋଟିଏ କୋଣକୁ ଠେଲି ଦେଇ ମୁଁ ଏକାକୀ ସେଇ ନିଦ୍ରିତା ଝିଅଟିର ସମଗ୍ର ସତ୍ତାକୁ ଆକଣ୍ଠ ପାନ କରିପାରନ୍ତି ।

 

ନା—ସେଭଳି ଇଚ୍ଛା ମୋ ଭିତରେ ଚେଇଁ ଉଠୁନାହିଁ ।

 

ଶୋଇଥିବା ପୁଅଟି ମାତ୍ର ବର୍ଷକର ଶିଶୁ ।

 

ତା’ ଦେହରେ ମୋ ରକ୍ତର ସ୍ୱାକ୍ଷର ।

 

ଶୋଇଥିବା ଝିଅଟିକୁ ବର୍ଷକ ତଳେ ବାହା ହୋଇ ମୁଁ ଏ ଘରକୁ ଆଣିଥିଲି । ଆସିବାର ବର୍ଷକ ପରେ ପୁଅଟିଏ ସେ ମୋ ହାତକୁ ଟେକି ଦେଇଥିଲା ।

 

ବାହା ହେଲା ପରେ ମୁଁ ସ୍ତ୍ରୀକୁ ଖୋଜୁଥିଲି ।

 

ଖୋଜୁଥିଲି ମୋ ମାଆକୁ—ପିଲାଦିନେ ଯାହାକୁ ହରାଇଥିଲି ।

 

ପାଇଲି କିନ୍ତୁ ଝିଅଟିଏ ।

 

ସ୍ୱାମୀ ଓ ସନ୍ତାନ ହେବାର ସୌଭାଗ୍ୟ ବଦଳରେ ମୋତେ ମିଳିଲା ପିତାର ଗୁରୁଦାୟିତ୍ୱ-

 

ନିଶ୍ଚିନ୍ତରେ ପୁଅଝିଅ ଶୋଇ ଯାଇଛନ୍ତି ।

 

ପୁଅଟିକୁ ପାଳିପୋଷି ମଣିଷ କରିବାକୁ ପଡ଼ିବ ମୋତେ ।

 

ଝିଅଟିର ଅଳି-ଅର୍ଦ୍ଦଳି, ଅଭାବ ଅଭିଯୋଗକୁ ବାପା ହୋଇ କୋଳେଇ ନେବାକୁ ପଡ଼ିବ-

 

ପୁଅଟି ବଡ଼ ହେବ । ବାହା ହୋଇ ନିଜ ସଂସାର ନିଜେ ଗଢ଼ିବ ।

 

କିନ୍ତୁ ଝିଅଟି ! ତାକୁ ନେଇ ଆଉ କାହାକୁ ବା ମୁଁ ପୁଣି ବାହା ଦେଇପାରିବି ।

 

ବାହା ନ ହୋଇପାରୁଥିବା ଝିଅଟିର ବାପା ହେବାର ଯେଉଁ ଦୁଃଖ, କେମିତି....କେଉଁ ଭାଷାରେ ମୁଁ ତାହା ପ୍ରକାଶ କରିବି ?

 

ମୋ ମୁଣ୍ଡ ଉପରେ ସାରା ଆକାଶ— ।

 

ଆଉ ଛାତି ଉପରେ ବିଶାଳ ଧରଣୀ ।

Image

 

ଝଡ଼ ଓ ଝରାଫୁଲ

 

ମୁଁ ତୁମକୁ କଥା ଦେଇଥିଲି ବୋଲି ତ ଡାକିଲାମାତ୍ରେ ଯାଇ ପହଞ୍ଚିଗଲି । ସତ୍ୟନିଷ୍ଠ ବଉଳା ପରି ।

 

ବଉଳାକୁ ଦେଖିବାମାତ୍ରେ ବାଘ ତା’ର ସ୍ୱଧର୍ମ ଭୁଲିଗଲା । ବାଘ ହେଲେ ବି ତା’ର ଯେ ଏକ ‘ହୃଦୟ’ ଅଛି—ଏହାର ପ୍ରମାଣ ଦେବାପାଇଁ ଆନନ୍ଦରେ ସେ ବଉଳାର ମୁକ୍ତି ଘୋଷଣା କଲା । ମୋତେ ଡାକିଲାବେଳେ ତୁମ ଭିତରେ ‘ବାଘ’ ହେଣ୍ଟାଳ ଛାଡ଼ୁଥିଲା । କିନ୍ତୁ ଏ କ’ଣ ହେଲା ?

 

ଦେଖିଲାମାତ୍ରେ ପଚାରିଦେଲେ—ପୁଅ କେମିତି ଅଛି ? ଭଲଅଛି ତ ? ସୁନ୍ଦରବନର କ୍ଷମତା ବାଘୁଣୀର ତମେ ହଠାତ୍‌ ଏକ ମମତାମୟୀ ‘ମାଆ’ରେ ରୂପାନ୍ତରିତ ହୋଇଗଲ ।

 

ତୁମର ଏ ଆଶ୍ଚର୍ଯ୍ୟ ରୂପାନ୍ତରକୁ ମୁଁ ପ୍ରଥମେ ବିଶ୍ୱାସ କରିପାରିଲି ନାହିଁ । ତୁମ ଦେହ ଛୁଇଁ ଅନୁଭବ କରିବାକୁ ଚେଷ୍ଟା କଲି ।

 

ସତକୁ ସତ ଯେଉଁ ସବୁ ଅଞ୍ଚଳରେ ଅଗ୍ନି ବର୍ଷା ହେଉଥିଲା- ତାହା ବରଫାବୃତ ତୁନ୍ଦ୍ରାଞ୍ଚଳ ପାଲଟି ଯାଇଥିଲା । ତୁମ ଆଖି ଦୁଇଟିରୁ ଆଖିଭର୍ତ୍ତି ଲୁହ ଝରିବାକୁ ଆରମ୍ଭ କରିଥିଲା ।

 

ସେ ଲୁହକୁ ନିଜର କରିବା ଲାଗି ହାତ ବଢ଼େଇଲି ।

 

ମୋର ହାତସାରା ରକ୍ତ ।

 

ଖୁବ୍‌ ଦୂରରୁ କୋମଳ କଣ୍ଠର ‘ବାପା’ ଡାକ ଭାସି ଆସୁଥିଲା ।

 

ତୁମ ଆଖିର ଲୁହରେ ମୁଁ ଦେଖିଲି ମୋ ପୁଅର ମୁହଁ ।

 

ତମେ ମୋତେ ମୁକ୍ତି ଦେଲ ମୁଁ ଫେରି ଆସିଲି ।

 

ଘରର ଦାଣ୍ଡଦୁଆର ମୁହଁରେ ପୁଅକୁ କାଖେଇ ମାଆ ତା’ର ଠିଆ ହୋଇଥିଲେ । କ’ଣ ମୋରି ଅପେକ୍ଷାରେ ?

 

ଆଶ୍ଚର୍ଯ୍ୟ ! ସବୁଥର ପରି ‘ବାପା’ ବୋଲି ଡାକି ଆବେଗ ଅଧିରରେ ପୁଅ ମୋର କୋଳକୁ ଡେଇଁ ପଡ଼ିଲା ନାହିଁ । ତା’ ଦେହରେ ହାତ ମାରିଲି । ଅସହ୍ୟ ଉତ୍ତାପରେ ତା’ ଦେହ ଜଳୁଥିଲା ।

 

ମାଆର କଣ୍ଠରେ ସାମୁଦ୍ରିକ ଝଡ଼ର ଝଂକାର ।

 

: କୁଆଡ଼େ ଯାଇଥିଲ ।

 

: ତମେ ଜାଣ ମୁଁ କୁଆଡ଼େ ଯାଇଥିଲି । ଧୀର ସ୍ୱରରେ ମୁଁ ଉତ୍ତର ଦେଲି ।

 

: କିନ୍ତୁ କାହିଁକି ?

 

: ମୁଁ, କଥା ଦେଇଥିଲି ।

 

: ତେବେ ମୋ ହାତ ଧରୁଥିଲ କାହିଁକି ?

 

: ବାପାଙ୍କୁ ମୁଁ କଥା ଦେଇଥିଲି ।

 

: କ’ଣ କଥା ଦେଇଥିଲ ?

 

: ତାଙ୍କ ମନୋନୀତା ଝିଅକୁ ବାହାହେବି ବୋଲି ।

 

: ମିଥ୍ୟାବାଦୀ ! ତୁମେ କେବଳ ଛଳନା କରି ଶିଖିଛ ।

 

: ମୁଁ ତୁମପ୍ରତି କୌଣସି ଅନ୍ୟାୟ କରିନାହିଁ ।

 

: ଆଉ କେତେବଡ଼ ଅନ୍ୟାୟ କରିଥିଲେ ଖୁସି ହୋଇଥାଆନ୍ତ !

 

: ମୁଁ ତୁମକୁ ମାଆ ହେବାର ଗୌରବ ଦେଇଛି ।

 

: ମାତୃତ୍ୱ ନାରୀ ଜୀବନର ଶେଷକଥା ନୁହେଁ ।

 

: କିନ୍ତୁ.....

 

ମୋ କଥାକୁ ପୂରା କରିବାକୁ ନଦେଇ ସେ ଗର୍ଜି ଉଠିଲେ.....‘ବନ୍ଦକର’ ତୁମର ଦର୍ଶନ । ନାରୀ ଜୀବନର ବ୍ୟଥା ଓ ବେଦନା ତମ ଭଳି କାପୁରୁଷ ବୁଝିପାରିବ ନାହିଁ । ତମେ ଅପଦାର୍ଥ । ସ୍ୱାମୀ ହେବାଲାଗି ଅଯୋଗ୍ୟ ।

 

ପ୍ରଥମ ଥର ପାଇଁ ମୁଁ ଆବିଷ୍କାର କଲି ଏକ ଶାନ୍ତ ସରୋବର ଯେମିତି ଅଶାନ୍ତ ସମୁଦ୍ରରେ ପରିଣତ ହୋଇଯାଇଛି ।

 

ଗର୍ଜୁଥିବା ସେଇ ବିକ୍ଷୁବ୍‌ଧ ସମୁଦ୍ର ବେଳାରେ ଠିଆ ହୋଇ ମୁଁ ନିଜକୁ ଖୋଜୁଥିଲି ।

 

ମୁଁ କିଏ ? କ’ଣ ମୋର ପରିଚୟ ?

 

ସୁନାପୁଅ !

 

ଆଦର୍ଶ ବାପା !!

 

ସୁଯୋଗ୍ୟ ସ୍ୱାମୀ-ସୁପୁରୁଷ !!

 

ନା ବିଶ୍ୱସ୍ତ ପ୍ରେମିକ !!

 

ଭଙ୍ଗା କଣ୍ଡେଇଟିଏ ଭଳି ମୋର ବ୍ୟକ୍ତିସତ୍ତା ଖଣ୍ଡବିଖଣ୍ଡ ହୋଇ ଧୂଳିରେ ଲୋଟୁଥିଲା ।

 

ଆଉ ମୁଁ ସେଇ ଟୁକୁରା ଟୁକୁରା ଭଗ୍ନାଂଶକୁ ସାଉଁଟି ଏକାଠି କରି ପ୍ରଲେପ ଦେଇ ଯୋଡ଼ିବାର ଓ ଗଢ଼ିବାର ବ୍ୟର୍ଥ ପ୍ରୟାସ କରୁଥିଲି ।

Image

 

ବିଚିତ୍ର ବସନ୍ତ

 

ପନ୍ଦର ବର୍ଷରୁ ଆରମ୍ଭ କରି ପଚିଶ ବର୍ଷ ଯାଏ ସୁଦୀର୍ଘ ଦଶବର୍ଷ ଭିତରେ ଅନୁଠାରୁ ଆରମ୍ଭ କରି ଅନାମିକା ଯାଏଁ ଝିଅମାନଙ୍କ ପ୍ରେମରେ ମୁଁ ଯେତେବେଳେ ପଡ଼ିଥିଲି ପତ୍ରଟିଏ ହୋଇଯାଇଥିଲି ।

 

ପନ୍ଦରରୁ ପଚିଶ ।

 

କଅଁଳ ସବୁଜ ପତ୍ରହୋଇ ପବନରେ କେତେବେଳେ ଝୁଲୁଛି ତ ଶୁଖିଲା ପତ୍ରଟିଏ ହୋଇ ସେଇ ପବନରେ ପୁଣି ଉଡ଼ି ବୁଲିଛି ଏଠୁ ସେଠିକି ସେଠୁ ଏଠିକି ।

 

ତା’ପରେ ଯେତେବେଳେ ବାହା ହେଲି-ଅନୁପମାକୁ ନେଇ ମୋର ଛୋଟ ସଂସାରଟି ଭିତରେ ମୁଁ ପଥର ପାଲଟିଗଲି ।

 

ପତରରୁ ହଠାତ୍‌ ପଥର ।

 

ସେଇ ପଥର ହୋଇ ମୁଁ ଆଜକୁ ପାଞ୍ଚବର୍ଷ ହେଲା ଗୋଟିଏ ଜାଗାରେ ହିଁ ପଡ଼ି ରହିଛି । କେତେ ବାଆ, ବଢ଼ି ବତାସ, ମୋର ଦେହରେ ଘସିମାଜି ହୋଇ ଚାଲି ଯାଇଛନ୍ତି ହେଲେ ମୋତେ ଘୁଞ୍ଚେଇ ପାରିନାହାଁନ୍ତି ।

 

କିନ୍ତୁ ଫୁଲମାନଙ୍କର ଏକି ଆଶ୍ଚର୍ଯ୍ୟ ରୀତି ।

 

ପତରଟିଏ ଥିଲାବେଳେ ଯେଉଁମାନେ ପୁଲକରେ ମୋତେ ଛୁଇଁଦେଇ ସେମାନଙ୍କ ଖିଆଲି ମନର ପବନରେ ବାରମ୍ୱାର ମୋତେ ଖେଳେଇ ଖେଳେଇ ମୋ’ଠାରୁ ଦୂରେଇ ଯାଇଥିଲେ-ପଥରଟିଏ ହେଲାପରେ ଆଶ୍ଚର୍ଯ୍ୟ ଜନକ ଭାବରେ ସେମାନେ ଶିଉଳି ପାଲଟିଗଲେ ।

 

ମୁଁ ଏବେ ଭାବୁଛି....

 

ନିଜ ଭଳି ସୁନ୍ଦର କୋମଳ ପତ୍ରମାନଙ୍କୁ ନୁହେଁ କଠିନ ଓ ସ୍ପନ୍ଦନହୀନ ପଥର ଛାତିରେ ମୁଣ୍ଡପିଟି ନିଜକୁ ଲହୁଲୁହାଣ କରି ଦେବାରେ କ’ଣ ଫୁଲମାନଙ୍କ ଜୀବନର ସାର୍ଥକତା !

 

ଆଃ; ଏତକ ଯଦି ମୁଁ ଟିକିଏ ଆଗରୁ ଜାଣି ପାରିଥାଆନ୍ତି !!!

Image

 

ଏବଂ ବୃହନ୍ନଳା

 

ଚାରିଆଡ଼େ ଯେତେବେଳେ ଅନ୍ଧାର ଘୋଟି ରହିଥିଲା—ମୁହଁକୁ ମୁହଁ ଦିଶୁ ନଥିଲା, ମଣିଷର ସ୍ୱର ଶବ୍ଦ ବା ପକ୍ଷୀଙ୍କର କାକଳି ଶୁଭୁ ନଥିଲା—ସେତେବେଳେ ଯେଉଁମାନେ କହୁଥିଲେ–‘ନୂଆ ସକାଳ ଆସିଛି, ନୂଆ ସୂର୍ଯ୍ୟର ଆଲୁଅରେ ଚତୁର୍ଦ୍ଦିଗ ଉଜ୍ଜ୍ୱଳ ଦିଶୁଛି’–ଏବେ ସେମାନେ କଅଣ କହୁଛନ୍ତି ?

 

ଏବେ ସତକୁ ସତ ଖେଳେଇ ହୋଇ ଯାଇଥିବା ଆଲୁଅର ରଙ୍ଗକୁ ଅନ୍ଧାରର ଛାଇ ଭାବି ସେମାନେ କ’ଣ ଆତ୍ମଗୋପନ କରିଛନ୍ତି ?

 

ନା—ସେମାନେ ଏଡ଼େ ନିର୍ବୋଧ ନୁହନ୍ତି ।

 

ସେମାନଙ୍କର ଏକ ବିଶେଷ ପରିଚୟ ଏବଂ ଗର୍ବ ସେଥିପାଇଁ ଯେ—ସେମାନେ ବୁଦ୍ଧିଜୀବୀ । ବୁଦ୍ଧିର ବଣିକ ସାଜି ଯେଭଳି ସେମାନେ ଅନ୍ଧାରକୁ ଆଲୋକର ସମ୍ରାଟ କହି ତା’ ନିକଟରେ ଆନନ୍ଦରେ ଆତ୍ମ-ସମର୍ପଣ କଲେ । ହାତରେ ତୁଳୀ ଧରି ସୂର୍ଯ୍ୟୋଦୟର ଛବି ଆଙ୍କିଲେ, କଳ୍ପନା-ବିଳାସରେ ନୂଆ ସକାଳର କାହାଣୀ ଲେଖିଲେ, ସୁମଧୁର ସ୍ୱରରେ ବେଶ୍‌ ପୁଲକିତ ହୋଇ ନୂଆ ସମୟର ଗୀତ ଗାଇଲେ, ଏବେ ସେଇଭଳି ବେଶ୍‌ ସହଜରେ ସେମାନେ ତୁମ—ମୋ ସହିତ ନିଜକୁ ସାମିଲ କରିଦେଇ କହୁଛନ୍ତି—ଓଃ ! କି ଭୀଷଣ ଅନ୍ଧକାର ଗହ୍ୱରରୁ ଆମେ ମୁକ୍ତି ପାଇଗଲୁ ସତରେ !!!

 

ସେମାନଙ୍କର ବୁଦ୍ଧିର ତାରିଫ୍‌ ନକରି ମୁଁ ରହିପାରୁନାହିଁ ।

 

ନିଶ୍ଚିତ ଭାବରେ ସେମାନେ ବୁଦ୍ଧିଜୀବୀ । ଜ୍ଞାନୀ ଓ ମାନୀ ।

 

ମୋର ଦୁଃଖ କିନ୍ତୁ—ସେମାନେ ସ୍ୱାଭିମାନୀ ହୋଇପାରିଲେ ନାହିଁ ।

 

ସେମାନେ ପୁଣି ନିଜକୁ ସାହିତ୍ୟିକ ବୋଲି ଘୋଷଣା କଲେ । ଅବରୁଦ୍ଧ କୋଠରୀ ଭିତରେ ନିଅନ୍‌ ଆଲୁଅ ତଳେ ବସିରହି ଘଣ୍ଟା ଘଣ୍ଟା ଧରି ଗଦା ଗଦା ପୋଥିପୁସ୍ତକ ଘାଣ୍ଟିଚକଟି ତା’ରି ନିର୍ଯ୍ୟାସର ତତ୍ତ୍ୱ ଓ ତଥ୍ୟର ମସଲାରେ କାହାଣୀ ଓ କବିତାର ଯେଉଁ ବ୍ୟଞ୍ଜନ ସେମାନେ ପରିବେଷଣ କଲେ, ତାକୁଇ ଉଚ୍ଚକୋଟୀର ସାହିତ୍ୟ କହି ସେମାନେ ସମ୍ଭ୍ରାନ୍ତ ସାହିତ୍ୟିକର ସମ୍ମାନ ଦାବି କଲେ ।

 

ହଁ—ସାଧାରଣ ଜୀବନର ସୁଖ ଦୁଃଖରୁ ନିଜକୁ ନିରାପଦ ଦୂରତ୍ୱରେ ରଖି ନିଶ୍ଚିତ ଭାବରେ ସେମାନେ ସମ୍ଭ୍ରାନ୍ତ ହେଲେ । କିନ୍ତୁ ସାହିତ୍ୟିକ ହୋଇପାରିଲେ କି ?

 

ପେଟ ପିଠିର ଚିନ୍ତାରେ ଅହରହ ଘାଣ୍ଟି ହେଉଥିବା, ଭୟ ଓ ଶୋଷଣରୁ ନିଜକୁ ମୁକ୍ତ କରି ସ୍ୱାଧୀନତାର ସ୍ୱପ୍ନ ଦେଖୁଥିବା ପାଖ-ପଡ଼ୋଶୀ କିମ୍ୱା ଦୂର ଦୂରାନ୍ତର ସାଥୀ ମଣିଷଟିର ଦୁଃଖ-ଦରଦକୁ ନିଜ ଅଣ୍ଟି ଭିତରକୁ ସେମାନେ ସାଉଁଟି ନେଇ ପାରିଲେ ନାହିଁ । ନିଜ ସାହିତ୍ୟର ସମ୍ପତ୍ତି କଲେ ନାହିଁ ।

 

ମୋର ଦୁଃଖ—ସେମାନଙ୍କର ସାହିତ୍ୟ ଖାଲି କାଚଘରର ସମ୍ପତ୍ତି ହୋଇ ରହିଗଲା ସିନା-!

 

ଖୋଲା ଆକାଶର ଛାତତଳେ ଠିଆ ହୋଇ ଖାଲି ଆଖିରେ ସେମାନେ ଏ ବିସ୍ତୃତ ଦୁନିଆକୁ ଦେଖି ଶିଖିଲେ ନାହିଁ ।

 

ବର୍ଷାରେ ଭିଜିଲେ ନାହିଁ ।

 

ଖରାରେ ଶିଝିଲେ ନାହିଁ ।

 

ଛତି ଓ ଛତା ତଳେ ଜାକିଜୁକି ହୋଇ ବସି ରହିଲେ କେହି କ’ଣ କେବେ ହାତରେ କଲମ ଧରିବାର ଶକ୍ତି ଓ ସାମର୍ଥ୍ୟ ହାସଲ କରିପାରେ ? ନିଜକୁ ସୁରକ୍ଷିତ କରି ରଖିବାର ସ୍ୱପ୍ନ ନେଇ ସାହିତ୍ୟିକ ହୋଇପାରେ ? ?

 

ଆଃ ! ମୋର ଦୁଃଖ ସେମାନଙ୍କ ପାଇଁ ।

 

ସକ୍ରେଟିସ୍‌ଙ୍କ ଭଳି ଆକଣ୍ଠ ହଳାହଳ ପିଇ ସେମାନେ ଜୀଇଁ ପାରିଲେ ନାହିଁ ।

 

ଅମୃତ ପାନ କରି ଅମର ହେବାର ବାସନରେ କେଡ଼େଶୀଘ୍ର ଓ କେତେ ସହଜରେ ସେମାନେ ମୃତ୍ୟୁକୁ ବରଣ କରିନେଲେ ସତରେ !!!

Image

 

ନିଆଁର ବୃତ୍ତ

 

ଡିଆସିଲି ବାକ୍‌ସରୁ କାଠିଟିଏ କାଢ଼ି ବାକ୍‌ସ ଦେହରେ ଘଷିଲି ।

 

କାଠିଟି ଜଳିଉଠିଲା ।

 

ଚୁପ୍‌ଚାପ୍‌ ଠିଆ ହୋଇ ଜ୍ୱଳନର ସେଇ ଅଭିନବ ଦୃଶ୍ୟକୁ ହିଁ ମୁଁ ଉପଭୋଗ କରୁଥିଲି ।

 

ଜଳି ଜଳି କାଠିଟି ଶେଷରେ ଲିଭିଗଲା ।

 

ମୁଁ ସେଥିରେ କିଛି ଜାଳିପାରିଲି ନାହିଁ । ଧୂପ ନୁହେଁ କି ଦୀପ ନୁହେଁ—କାଠ ନୁହେଁ କି କାଗଜ ଖଣ୍ଡେ ବି ନୁହେଁ ।

 

ମୁଁ ଏମିତି ଏକ ସୁଯୋଗକୁ ଅପେକ୍ଷା କରୁଥିଲି ।

 

ସେଦିନ ହାତମୁଠାକୁ ଆସିଲା ସେ ସୁଯୋଗ ।

 

ଏକ ନିରୋଳା ନିଛାଟିଆ ଜାଗାରେ ମୁଁ ଆଉ ଦେବୀ ।

 

ଦେବୀକୁ କହିଲି—ତୋ ଦେହରୁ ସବୁ କିଛି ଖୋଲିପକା ।

 

ମୁହଁରେ ତା’ର କିଏ ଯେମିତି ବୋଳିଦେଲା ସଦ୍ୟ ଫୁଟା ସକାଳର ଅରୁଣିମା ।

 

ତଥାପି ସେ ମୋର ଅନୁରୋଧ ଉପେକ୍ଷା କଲାନାହିଁ ।

 

ମୁଁ ତାକୁ ସେଥିରେ ସାହାଯ୍ୟ କଲି ।

 

ତା’ପରେ ଡିଆସିଲି ବାକ୍‌ସରେ କାଠିଟିଏ ଘଷିବାର ପର୍ବ ।

 

ଏଥର ଜଳିବାର ଦୃଶ୍ୟ ।

 

ଜଳୁଥିଲା ଡିଆସିଲି ।

 

ତା’ର ସେଇ ନିଆଁରେ ସାରା ପୃଥିବୀକୁ ଜାଳିଦେବାର ଅସରନ୍ତି କ୍ଷୁଧା ।

 

ଦେବୀ ମୋର ସାହାଯ୍ୟ ଲୋଡ଼ୁଥିଲା । ହାତ ବଢ଼ଉଥିଲା ।

 

ଆଖିରେ ତା’ର ଆକୁଳ ନିମନ୍ତ୍ରଣର ଭାଷା—ଆସ, ମୋ ପାଖକୁ ଆସ । ଜଳେଇଲ, ଯେତେବେଳେ, ଜାଳିଦିଅ । ନିଜେ ଜଳିଯାଅ ।

 

ମୁଁ ସେଇ ଜ୍ୱଳନର ଦୃଶ୍ୟରେହିଁ ସମ୍ମୋହିତ ହୋଇ ପଡ଼ିଥିଲି ।

 

ଆଗକୁ ବଢ଼ିବା ଲାଗି ମୋର ଶକ୍ତି ନଥିଲା ।

 

ସେ ତା’ର ଲେଲିହାନ ଶିଖା ବିସ୍ତାର କରି କ୍ରମଶଃ ମୋ ଆଡ଼କୁ ମାଡ଼ି ଆସୁଥିଲା ।

 

ମୁଁ ଘୁଞ୍ଚି ଘୁଞ୍ଚି ଆସୁଥିଲି ।

 

ଜଳିବାର ଯନ୍ତ୍ରଣାରେ ଅସ୍ଥିର ହୋଇ ପ୍ରଚଣ୍ଡ କ୍ରୋଧରେ ସେ ମୋ ଉପରକୁ ଅଦ୍ଭୁତ ଶବଦର ବୋମା ସବୁ ଫିଙ୍ଗୁଥିଲା ।

 

ଖସିଯାଇ ପାରିଲି ନାହିଁ ।

 

ଏଥର ମୋ ଚାରିପଟେ ସେଇ ନିଆଁର ବୃତ୍ତ ।

 

ଆଉ ମୁଁ ଏକ ଅସହାୟ ମଧ୍ୟବିନ୍ଦୁ !

 

ଜଳି ଜଳି ଏକ ଅସ୍ତଗାମୀ ସୂର୍ଯ୍ୟଭଳି ଅବଶେଷରେ ସେଇ ନିଆଁର ବୃତ୍ତଟି ଢଳିପଡ଼ିଲା ସମୁଦ୍ରର କୋଳକୁ ।

 

ସମୁଦ୍ରରେ ଏବେ ନିଆଁ ଲାଗିଛି ।

 

ଚାରି ଦିଗରେ କେବଳ ଅନ୍ଧାର ଆଉ ଅନ୍ଧାର ।

 

ଅନ୍ଧାର ଖୋଜୁଛି ଆଲୁଅ ।

 

ଦେବୀର ଦେହରେ ଫୁଟୁଥିବା ଟକମକ ରକ୍ତର ନିଆଁ ଧୂଆଁ ହୋଇଯାଇଛି ।

 

ଡିଆସିଲିର କାଠିଟି ଜଳି ଜଳି ଲିଭିଯାଇଛି ।

 

ଜଳନ୍ତା ଦେବୀ ଜୀଅନ୍ତା ଶବଟିଏ ହୋଇ ମାଟି ଉପରେ ଏଥର ଶୋଇଯାଇଛି ।

 

ତା’ର ଏ ଅସ୍ୱାଭାବିକ ଓ ଅସହାୟ ମୃତ୍ୟୁପାଇଁ ଦାୟୀ କିଏ ? –ସେ ନିଜେ ନା–ମୁଁ, ଏକ ଶୀତଳ ସମୁଦ୍ର, ଯା’ର ଦୂରନ୍ତ ଆକର୍ଷଣରେ ଟାଣିହୋଇ ସେ ଚାଲି ଆସିଥିଲା କେବଳ ଅତି ଅସହାୟ ଭାବରେ ମୃତ୍ୟୁବରଣ କରିବା ଲାଗି ?

 

ସମୁଦ୍ର ଆଉ ନାହିଁ ।

 

ଚାରିଆଡ଼େ ଖାଲି ମାଟି.... ଧୂମାଭ୍ର.... ଧୂସର ମାଟି ।

Image

 

ମାଟି ଓ ଆକାଶ

 

ମୋ ହାତ ପାହାନ୍ତାରେ ତମେ

 

ହାତ ବଢ଼େଇଲେ ମାଟି ଓ ଆକାଶର ବ୍ୟବଧାନ ।

 

ଆକାଶ ଆଖିରେ ଅଶ୍ରୁ ଜମିଲେ

 

ମାଟିର ବୁକୁରେ ବନ୍ୟାର ପ୍ଳାବନ । ବେଦନାରେ ଫାଟି ପଡ଼ିଲେ ମାଟିର ବୁକୁ ।

 

ଆକାଶରେ ଜମିଯାଏ ମେଘ ।

 

ମେଘ ହିଁ ତ ଏକମାତ୍ର ସମ୍ପର୍କର ସେତୁ ମାଟି ଆଉ ଆକାଶ ମଧ୍ୟରେ ।

 

ତମେ କିନ୍ତୁ ମାଟି ନୁହଁ ।

 

କି ମୁଁ ଆକାଶ ନୁହେଁ ।

 

ମୋ ହାତ ପାହାନ୍ତାରେ ତମେ

 

ତମ ହାତ ପାହାନ୍ତାରେ ମୁଁ ।

 

ହାତ ବଢ଼େଇଲେ ମାଟି ଓ ଆକାଶର ବ୍ୟବଧାନ ।

 

ମେଘ କ’ଣ ସତରେ ଆମକୁ ଯୋଡ଼ି ଦେଇପାରିବ ?

 

ନା—ସେଇ ଅବିଶ୍ରାନ୍ତ ମେଘର କୁହେଳି ଭିତରେ ଆମେ ହଜିଯିବା,

 

ଖାଲି ହଜିଯିବା ପରସ୍ପରଠାରୁ ପ୍ରତିଦିନ ଲାଗି ??

Image

 

ହୋରି

 

ହୋରି ଆସିଛି–ହୋରି । ଚାରିଆଡ଼େ ଆନନ୍ଦର ହୁରି । ନାଲି ନେଳି ରଙ୍ଗପାଣିର ପିଚ୍‌କାରି । ବରଷକେ ଥରେ ଏଇମିତି ନାଲି ନେଳିର ରଙ୍ଗପାଣିରେ ହୋରି ଖେଳିବାକୁ ଭାରି ଭଲ ଲାଗେ ।

 

ଏମିତି ଏକ ହୋରିବେଳେ, ମାସ ଫଗୁଣ, ଋତୁ ବସନ୍ତରେ ମୋ ବାପାଙ୍କର କୁଆଡ଼େ ବାହାଘର ହୋଇଥିଲା । ଜୀବନରେ ପ୍ରଥମ ଥର ପାଇଁ ଯୌବନର ନାଲି ନେଳି ରଙ୍ଗରେ ସେ ହୋରି ଖେଳିଥିଲେ । ଆଉ ଏମିତି ଏକ ହୋରିବେଳେ ଅତି ଆକସ୍ମିକ ଭାବରେ ଜୀବନରୁ ତାଙ୍କର ସବୁ ରଙ୍ଗ ଧୋଇ ହୋଇଗଲା । ସେଇଦିନୁ ଆଉ ନାଲି ନେଳି ରଙ୍ଗପାଣିରେ ନୁହେଁ, ରଙ୍ଗହୀନ ସଫେଦ ଆଖିପାଣିରେ ବାପା ପ୍ରତିବର୍ଷ ହୋରି ଖେଳିଲେ ।

 

ଏଥର ମୁଁ ବି ବାପାଙ୍କ ସହିତ ହୋରିଖେଳରେ ଯୋଗ ଦେଇଛି । ବନ୍ଧୁ ଓ ବାନ୍ଧବୀମାନଙ୍କ ସହିତ ମିଶି ନାଲିନେଳିର ରଙ୍ଗପାଣିରେ ହୋରି ଖେଳିବାକୁ ଏଥର ଆଉ ଇଚ୍ଛା ହେଲା ନାହିଁ । ଅବଶ୍ୟ ମୁଁ ଦିନେ ନିଜକୁ ହୋରିର ରଙ୍ଗରେ ବୁଡ଼େଇ ଥିଲି । କିନ୍ତୁ ଜୀବନରେ ପ୍ରଥମ କରି ମୋ ଦେହରେ ରଙ୍ଗ ଦେଇ, ମୋ ପାଖରୁ ରଙ୍ଗ ନେଇ ଦୀର୍ଘ ଦୁଇବର୍ଷ ହୋରି ଖେଳିବା ପରେ ଗତବର୍ଷ ହୋରିବେଳେ, ଠିକ୍‌ ଏଇ ଋତୁ ବସନ୍ତ ଓ ମାଘ ଫଗୁଣରେ ଛନ୍ଦା ନିଜେ ଆସି ନିଜେ ଦେଇଥିବା ରଙ୍ଗତକ ମୋ ଦେହରୁ ଧୋଇ ଦେଇଗଲା । ଏ ଗାଁ ଛାଡ଼ି ଚାଲିଗଲା । ଅନେକ ଦୂରକୁ–ନୂଆ ଏକ ସହରରେ ତା’ ସହରିବନ୍ଧୁ ସହିତ ସାରାଜୀବନ ରଙ୍ଗ ଖେଳିବ ବୋଲି । ଗଲାବେଳେ ଶେଷଥର ପାଇଁ ମୋର ଦୁଇଆଖିରେ ରଙ୍ଗହୀନ ସଫେଦ ପାଣି କେଇଟୋପା ଢାଳି ଦେଇଗଲା–ଯାହାକୁ ସଞ୍ଚୟ କରି ଏଥର ମୁଁ ବାପାଙ୍କ ସହିତ ହୋରି ଖେଳରେ ଯୋଗ ଦେଇଛି ।

 

ବାପାଙ୍କର ଅନେକ ବନ୍ଧୁ ଆସି ତାଙ୍କୁ ଅନୁରୋଧ କଲେ–ପୁଣିଥରେ ରଙ୍ଗ ପାଣିରେ ହୋରି ଖେଳିବାପାଇଁ । ମୋର ଅନେକ ବାନ୍ଧବୀ ଆସି ମୋତେ ନିମନ୍ତ୍ରଣ ଜଣେଇଲେ–ପୁଣିଥରେ ଦେହରେ ରଙ୍ଗ ବୋଳି ଦେହ ମନକୁ ରଙ୍ଗୀନ୍‌ କରିବା ପାଇଁ । ଆମେ କିନ୍ତୁ ମନା କରିଦେଲୁ । ଥରେ ରଙ୍ଗ ବୋଳି ହୋଇ ତାକୁ ଧୋଇବାରେ ଯେଉଁ ଯନ୍ତ୍ରଣା, ସେ ଯନ୍ତ୍ରଣାକୁ ସହ୍ୟ କରିବାର ଶକ୍ତି ଆମର ନଥିଲା ।

 

ସେମାନେ କିନ୍ତୁ ହସିଲେ । କହିଲେ–ବାପପୁଅ ଦୁହେଁ ମିଶି ପାଣିର ରଙ୍ଗରେ ହୋରି ଖେଳୁଛନ୍ତି । ହସନ୍ତୁ ସେମାନେ । ଯାହା କହିବାର କଥା କୁହନ୍ତୁ ।

 

ଜୀବନର ହୋରି ଖେଳରେ ଆମ ଦୁହିଁଙ୍କ ଜୀବନରୁ ସବୁ ରଙ୍ଗତକ ଧୋଇ ଲିଭିଯିବା ପରେ ବାପପୁଅ ଆମେ ଦୁହେଁ ଦୁଇଭାଇ ଦୁଇଟି ସହଧର୍ମୀ ବନ୍ଧୁ ହୋଇ ଯାଇଛୁ । ତେଣୁ ଏକାଠି ବସି ଏଥର ଆମେ ସଫେଦ୍‌ ଆଖିର ପାଣିରେ ହୋରି ଖେଳୁଛୁ । ନାଲି ନେଳିର ରଙ୍ଗ ପାଣିରେ ହୋରି ଖେଳିବା ଅପେକ୍ଷା, ଆଖିର ରଙ୍ଗହୀନ, ନିର୍ମଳ ସଫେଦ୍‌ ପାଣିରେ ହୋରି ଖେଳିବାରେ ଆମପାଇଁ ଅଛି ଅନେକ ସାନ୍ତ୍ୱନା, ଅନେକ ଆଶା ଓ ଆଶ୍ୱାସନା ।

Image

 

ନଦୀ ସାଳନ୍ଦୀ : ମାସ ଶ୍ରାବଣ

 

ଏଇ ଗଲା ଫଗୁଣର ହୋରିବେଳେ ‘ଭଦ୍ରକ’ ମୋ ଦେହରେ ରଙ୍ଗ ବୋଳି ଦେଇଗଲା । କହିଲା : ଆମ ସାଳନ୍ଦୀ ପାଣିରେ ବି ଏ ରଙ୍ଗ ଲିଭିବ ନାହିଁ । ଏ ହେଉଛି ଅସଲି ରଙ୍ଗ । ସବୁଦିନ ପାଇଁ ଅଲିଭା ହୋଇ ରହିଯିବ ।

 

ସେଇ ରଙ୍ଗୀନ ଦେହରେ ମୁଁ ଯାଇ ସାଳନ୍ଦୀ ବାଲିରେ ବସିଲି । ଉଜ୍ଜ୍ୱଳ ଖରାରେ ସେ ରଙ୍ଗ ଆହୁରି ଉଜ୍ଜ୍ୱଳ ଦିଶିଲା । ମନେ ମନେ ମୁଁ ଆତ୍ମ-ସନ୍ତୋଷ ଅନୁଭବ କଲି ।

 

କିନ୍ତୁ ଏ କ’ଣ ! ହଠାତ୍‌ ଆସିଲା ବର୍ଷା ! ଜଳଶୂନ୍ୟ ସାଳନ୍ଦୀ ପୂର୍ଣ୍ଣଗର୍ଭା ହୋଇ ତା’ର ଜଳରେ ମୋ ଦେହର ସବୁ ରଙ୍ଗକୁ ଧୋଇନେଲା । ହସି ହସି କହିଦେଇ ଗଲା—ନକଲି ରଙ୍ଗ ଇଏ-। ଏ ରଙ୍ଗ ରହିବ ନାହିଁ ।

 

ବିସ୍ମୟରେ ମୁଁ ସାଳନ୍ଦୀକୁ ଚାହିଁଲି । ହସି ହସି ସାଳନ୍ଦୀ କିନ୍ତୁ ବହି ଚାଲିଥିଲା ଆଗକୁ—ଆଗକୁ । ଅନୁଭବ କଲି, ମୋ ଆଖିରେ ଜମିଥିବା ବର୍ଷା ସବୁ ତଳକୁ ଡେଇଁ ସାଳନ୍ଦୀରେ ମିଶି ବହିଯିବା ପାଇଁ ଅସ୍ଥିର ହେଉଛନ୍ତି ।

Image

 

ଶେଷ ସଙ୍ଗୀତ

 

ନା

 

ଏଥର ମୁଁ ଆଉ ସାଳନ୍ଦୀ କୂଳରେ ବସିବି ନାହିଁ ।

 

ସାଳନ୍ଦୀର କଥା ଶୁଣିବି ନାହିଁ ।

 

ସାଳନ୍ଦୀର କଥା କହିବି ନାହିଁ କି ସାଳନ୍ଦୀର ଗୀତ ଗାଇବି ନାହିଁ ।

 

ଅବଶ୍ୟ ବାରମ୍ୱାର ‘ସାଳନ୍ଦୀ’ର କଥା କହି ମୋର ବନ୍ଧୁମାନଙ୍କ ଦ୍ୱାରା ଉପହାସିତ ଓ ସମାଲୋଚିତ ହେଲି, ଏଥିପାଇଁ ନୁହେଁ । କାରଣ ବନ୍ଧୁମାନଙ୍କର ବ୍ୟଙ୍ଗ ବିଦ୍ରୂପ ସତ୍ତ୍ୱେ ବି ମୁଁ ସାଳନ୍ଦୀ କୂଳକୁ ଯାଇଛି । ଲୁଚିଛପି ସାଳନ୍ଦୀ ସହିତ କଥା ହୋଇଛି । ସାଳନ୍ଦୀର ଗୀତ ଶୁଣି ସବୁ କିଛି ଭୁଲିଛି-। କିନ୍ତୁ ଯେଉଁଦିନ ନିଜ ଜନ୍ମର ସାର୍ଥକତା ଓ ଅଧିକ ପ୍ରତିଷ୍ଠା ଆଶାରେ ସାଳନ୍ଦୀ ନିଜକୁ ସମୁଦ୍ରରେ ମିଶେଇ ଦେଲା, ସେଦିନ ମୁଁ ଆଖିରୁ କେଇବୁନ୍ଦା ଲୁହ ଢାଳି ବି ଅନେକ ଖୁସି ହୋଇଥିଲି-। କାରଣ ମୁଁ ବି ସମୁଦ୍ର କୂଳର ଅଧିବାସୀ । ତେଣୁ ସାଳନ୍ଦୀ ସମୁଦ୍ରରେ ମିଶିଲେ ନିଇତି ସକାଳେ ସନ୍ଧ୍ୟାରେ ସମୁଦ୍ର ବେଳାରେ ବସି ସାଳନ୍ଦୀକୁ ଦେଖିହେବ । ସାଳନ୍ଦୀ ସହିତ କଥା ହେବାର ସୁଯୋଗ ମିଳିବ-। କିନ୍ତୁ ମୋ ‘ଆଖିର ଲୁହ’ ମୋ ପାଇଁ ସତ ହେଲା । ମନର ସବୁ ଆନନ୍ଦ ସମୁଦ୍ରର ଢେଉଭଳି ନିମିଷକେ ମନର ବେଳା ଭୂଇଁରେ କୁଆଡ଼େ ମିଳେଇ ଗଲା । ସମୁଦ୍ର ଭିତରେ ସାଳନ୍ଦୀକୁ ମୁଁ ଆଉ ଖୋଜି ପାଇଲି ନାହିଁ । ସମୁଦ୍ର କୂଳରେ ମୋତେ ଦେଖି ସେ ନ ଦେଖିବାର ଅଭିନୟ କଲା-। ଦେଖି ବି ଚିହ୍ନିଲା ନାହିଁ ।

 

ସମୁଦ୍ରକୁ ମୁଁ ମୋ ସାଳନ୍ଦୀର ପରିବର୍ତ୍ତନର କାରଣ ଜିଜ୍ଞାସା କଲି । ରାଗରେ ସମୁଦ୍ର ଗର୍ଜନ କରି ମୋ ଆଡ଼କୁ ମାଡ଼ି ଆସିଲା । ଭୀଷଣ ଭୟ, ଅସହ୍ୟ ଦୁଃଖ, ଅପମାନ ଅଭିମାନର ଆଘାତରେ ସମୁଦ୍ର କୂଳରୁ ମୁଁ ଦଉଡ଼ି ପଳେଇ ଆସିଲି ।

 

ଫେରିଲାବେଳେ ହାତରେ ସମୁଦ୍ରର ପାଣି ଆଞ୍ଜୁଳାଏ ନେଇ ‘ସାଳନ୍ଦୀ’କୁ ପୁଣି କେତେ ଖୋଜିଲି । କିନ୍ତୁ ହାୟ ! କେତେ ତିକ୍ତ କେତେ ଲବଣାକ୍ତ ଏ ସମୁଦ୍ରର ଜଳ । ଅଥଚ ସାଳନ୍ଦୀର ପାଣି କେତେ ମଧୁର ।

 

କେତେ ଚଞ୍ଚଳ ସାଳନ୍ଦୀ ସତରେ ବଦଳିଗଲା । ସମୁଦ୍ର ଭିତରେ ନିଜର ଅସ୍ତିତ୍ୱ ଟିକକ ହଜେଇ ଦେଲା ସାଳନ୍ଦୀ ଗୀତ ଶୁଣିବାକୁ ଯାଇ ମୁଁ ଖାଲି ସମୁଦ୍ର ଢେଉର ଗର୍ଜନ ଶୁଣିଲି । ସାଳନ୍ଦୀ ଜଳର ମଧୁରତା ଆସ୍ୱାଦନ କରିବାକୁ ଯାଇ ସମୁଦ୍ରର ଲୁଣି ଜଳ ପିଇ ମୁଁ ବାନ୍ତି କଲି ।

 

ତେଣୁ ସାଳନ୍ଦୀର କଥା ଆଉ ଶୁଣିବି ନାହିଁ ।

 

ସାଳନ୍ଦୀର କଥା ଆଉ କହିବି ନାହିଁ ।

 

ସାଳନ୍ଦୀର ଗୀତ ଗାଇବି ନାହିଁ ।

 

ଏ ମୋର ଶେଷ କଥା ଶେଷ ସଙ୍ଗୀତ ସାଳନ୍ଦୀ ପାଇଁ ।

Image

 

ମିନି ଗପଟିଏ

 

ମୁଁ ଆଉ ମିନିଗଳ୍ପ ଲେଖୁନାହିଁ ।

 

କାରଣ ମୋ ‘ମିନି’ ଏବେ ମା’ ହୋଇଛି ।

 

ମୋ ପୁଅର ମା ।

 

ମୁଁ ଯେତେବେଳେ ମିନିଗଳ୍ପ ଲେଖୁଥିଲି—ସେ ମୋତେ ଚକୋଲେଟ୍‌ ମାଗୁଥିଲା । ତା’ ପାଖକୁ ଦିନେ ନ ଗଲେ କଥା ନ କହି ରୁଷୁଥିଲା । ମୁହଁ ଲୁଚେଇ କାନ୍ଦୁଥିଲା ।

 

ଏବେ କିନ୍ତୁ ସେ ମୋତେ ‘ଅମୁଲ୍‌’ ମାଗୁଛି । ବଜାରରୁ ଅମୁଲ୍‌ ସରି ଯାଇଥିବା କଥା କହିଲେ—ରାଗରେ ମୁହଁ ଫୁଲେଇ ଚାଲିଯାଉଛି—କାରଣ ‘ଅମୁଲ, ନ ଖାଇ ପୁଅ ତା’ର କାନ୍ଦୁଛି ।’

 

ମୁଁ ଆଉ ମିନିଗଳ୍ପ ଲେଖୁନାହିଁ ।

 

କାରଣ ମୋ ଗପ ପଢ଼ିବାକୁ ମିନିର ଆଉ ଆଗ୍ରହ ନାହିଁ । ସେ ଏବେ ଖନେଇ ଖନେଇ କଥା କହୁଥିବା ତା’ ପୁଅର ମିନିକଥା ଶୁଣୁଛି । ଅଝଟ ହେଲେ ଛାତିରେ ଜାକି ଦରଖଣ୍ଡିଆ ଗୀତ ଗାଇ ତାକୁ ଶୁଆଇ ପକାଉଛି ।

 

ମୁଁ ଆଉ ମିନିଗଳ୍ପ ଲେଖୁନାହିଁ ।

 

କାରଣ ମୁଁ ଏବେ ବାପା ହୋଇଛି ।

 

ମିନି ପୁଅର ବାପା ।

Image

 

ସମ୍ପର୍କ

 

ଏଇ ସେ ସାଳନ୍ଦୀ ସହର ।

 

ଏଇଠି ମୋର ବାପା ବାହାହେଲେ । କିନ୍ତୁ ବାପା ଯାହାକୁ ବାହାହେଲେ, ସେ ମୋର ମା’ ହେଲା ନାହିଁ–ମାଉସୀ ହେଲା ।

 

ଏଇଠି ପୁଣି ମୁଁ ବାହା ହେଲି । କିନ୍ତୁ ମୁଁ ଯାହାକୁ ବାହା ହେଲି, ସେ ମୋର ପ୍ରିୟା ହେଲା ନାହିଁ-ପ୍ରେମିକା ହେଲା ।

 

ଘରଟିଏ ତୋଳି ବାପା ସେ ଘର ଭିତରେ ରହିପାରିଲେ ନାହିଁ । ଘର ଭିତରେ ରହିବାର ପ୍ରବଳ ଆଗ୍ରହ ସତ୍ତ୍ୱେ ବି ଘରଟିଏ ମୁଁ ତିଆରି କରିପାରିଲି ନାହିଁ ।

 

ସମୁଦ୍ର କୂଳରେ ବସି ବାପା ଏବେ ତାଙ୍କର ନୂଆ ଘରକୁ ଦେଖୁଛନ୍ତି । ନିଜେ ତୋଳିଥିବା ଘର ଭିତରକୁ ନିଜେ ପଶିବାକୁ ସେ ଭୟ କରୁଛନ୍ତି । ସାଳନ୍ଦୀ ବାଲିରେ ବସି ମୁଁ ଦେଖୁଛି–ଘରଟିଏ ତିଆରି କରିବାର ସବୁ ଉପକରଣ ଥାଇ ବି ଘରଟିଏ ମୁଁ ତିଆରି କରିପାରୁ ନାହିଁ ।

 

ଘର ତିଆରି କରିବାର କଳା ମୁଁ ଶିଖଲି ନାହିଁ କି ଘର ଭିତରେ ରହିବାର କୌଶଳ ବାପା ଜାଣିଲେ ନାହିଁ ।

 

ସମୁଦ୍ର ବେଳାରେ ବାପା ସମୁଦ୍ରର ଏକ ଅସ୍ଥିର ତରଙ୍ଗ ପାଲଟି ଯାଇଛନ୍ତି । ସାଳନ୍ଦୀ କୂଳରେ ମୁଁ ସାଳନ୍ଦୀର ଏକ ତୁଠ ପଥର ହୋଇଯାଇଛି ।

 

ମୁଁ ଆଉ ମୋ ବାପା ।

 

କେତେ ବା ଦୂରତ୍ୱ ସତେ - ଆମ ସମ୍ପର୍କର ।

Image

 

ଟିକିପାଇଁ

 

ଟିକି ଗପଟିଏ—ଟିକି ପାଇଁ ।

ମୋ ଟିକିଗପ ଆଉ ଯାହାକୁ ଭଲ ଲାଗୁ ବା ନ ଲାଗୁ ଟିକିକୁ କିନ୍ତୁ ଖୁବ୍‌ ଭଲ ଲାଗେ ।

ଟିକି ଦୃଷ୍ଟିରେ ମୁଁ ସବୁବେଳେ ଟିକି, ଖୁବ୍‌ ଛୋଟ, ପିଲାଲୋକ । ତା’ର ଇଚ୍ଛା ମୁଁ ଖାଇଲାବେଳେ ମୋ ପାଖରେ ବସି ସେ ମୋତେ ଖୁଆଇ ଦିଅନ୍ତା, ତାକୁ ଦେଖିଲେ ମୋର ବୋଉ କଥା ମନେପଡ଼େ । ବୋଉ ବି ମୋତେ ଦିନେ ଖୁଆଇ ଦେଉଥିଲା । ନିଜ ହାତରେ ସବୁବେଳେ ଖୁଆଇ ଖୁଆଇ ମୋତେ ମୋଟା କରି ଦେବାପାଇଁ ବୋଉର ଥିଲା ପ୍ରବଳ ଆଗ୍ରହ ।

ହେଲେ ମୁଁ ମୋଟା ହେବା ପର୍ଯ୍ୟନ୍ତ ବୋଉ ମୋତେ ଅପେକ୍ଷା କଲାନାହିଁ ।

ଆଉ ଟିକି ? ସେ କ’ଣ ସତରେ ଅପେକ୍ଷା କରିବ ?

ମୋ ପାଇଁ ବୋଉ ଏବେ ଖାଲି ସ୍ୱପ୍ନ ।

ଆଉ ଟିକିତ ମୋର ଗପ—ଗୀତ ଓ କାହାଣୀ ।

କାହାଣୀ, ଗୀତ, ଗପ କ’ଣ କେବେ ସତ ହୁଏ ?

ନା ସ୍ୱପ୍ନ କେବେ ସତ ହୁଏ ଦିନର ଆଲୁଅରେ ???

Image

 

ଆରଣ୍ୟକ

 

ଦୂର ବାଟୋଇ ମୁଁ ।

 

ଅନେକ ବାଟ ବୁଲି ବୁଲି ମୁଁ ଶେଷରେ ଏଇ ଅରଣ୍ୟରେ ପହଞ୍ଚିଲି ।

 

ଅରଣ୍ୟର ସବୁଜିମା ମୋତେ ମୁଗ୍‌ଧ କଲା ।

 

ବହୁପଥ ଅତିକ୍ରମ କରି କ୍ଳାନ୍ତ ହୋଇ ପଡ଼ିଥିଲି । ଆଶ୍ରୟ ଖୋଜୁଥିଲି । ଅରଣ୍ୟର ଆଶ୍ରୟ ।

 

କିନ୍ତୁ ଅରଣ୍ୟ କି ଭୟଙ୍କର ସତରେ ।

 

ମୋତେ ଦେଖି ଅରଣ୍ୟର ପଶୁପକ୍ଷୀ ସବୁ ଧାଇଁ ଆସିଲେ ।

 

ସେମାନଙ୍କର ନଖ, ଦନ୍ତ ଓ ଚଞ୍ଚୁରେ ମୋ ଦେହର ଆଭରଣ ସବୁ ଗୋଟି ଗୋଟି କରି କାଢ଼ି ଫିଙ୍ଗି ଦେଲେ ।

 

ମୁଁ ଭୟରେ ଚିତ୍କାର କଲି । ପ୍ରତିବାଦ କଲି । ମୋ ଚିତ୍କାର ଓ ପ୍ରତିବାଦର ଧ୍ୱନି କ୍ଷୀଣରୁ କ୍ଷୀଣତର ହୋଇ ଅରଣ୍ୟର ପାଦଦେଶରେ ମିଳେଇ ଗଲା ।

 

ମୁଁ ଏବେ ସେମାନଙ୍କ ମେଳରେ ହଜି ଯାଇଛି । ସେମାନଙ୍କ ମନ ସହିତ ମନ ମୋର ମିଶି ଯାଇଛି । ଦେହ ସହିତ ଦେହ ଜଡ଼ି ଯାଇଛି ।

 

ଏ ମନରେ ଆଉ ଆବରଣ ନାହିଁ ।

 

ଏ ଦେହରେ ଆଉ ଆଭରଣ ନାହିଁ ।

 

ମୁଁ ଏବେ ପ୍ରକୃତିର ସନ୍ତାନ ।

 

ଅମୃତର ସନ୍ତାନ ।

 

ସମ୍ପୂର୍ଣ୍ଣ ସ୍ୱାଧୀନ ।

 

ଏକାନ୍ତ ଆଦିମ ।

 

ଆଃ ! ଏ ଅରଣ୍ୟ କି ସୁନ୍ଦର ସତରେ !

Image

 

ପ୍ରତିଛାୟା

 

ସେମାନେ ମୋତେ ହତ୍ୟା କଲେ ।

 

ଏବେ ମୋର ଶବ ଦେଖି ଭୟ କରୁଛନ୍ତି ।

 

ମୋତେ ହତ୍ୟା କଲାବେଳେ ଖୁବ୍‌ ଆନନ୍ଦରେ ସେମାନେ ନାଚୁଥିଲେ । ମୁଁ ସେମାନଙ୍କୁ ଦେଖି ଭୀଷଣ ଭୟ ପାଇ ଯାଇଥିଲି । ହତ୍ୟା ନକରି ସାମାନ୍ୟ ଦୟା କରିବା ପାଇଁ ମୁଁ ସେମାନଙ୍କୁ ବିକଳ ହୋଇ ପ୍ରାର୍ଥନା କରିଛି । ଆକୁଳ କଣ୍ଠରେ କେତେ ଅନୁରୋଧ ଜଣେଇଛି । ମୋର କୌଣସି ପ୍ରାର୍ଥନା ଓ ଅନୁରୋଧ ଶୁଣିବା ପାଇଁ ସେମାନେ ପ୍ରସ୍ତୁତ ନଥିଲେ ।

 

ମଧୁପାନ ପାଇଁ ପ୍ରଥମେ ମୋତେ ନିମନ୍ତ୍ରଣ କରିଥିଲେ । କିନ୍ତୁ ମଦ୍ୟପାନ କରେଇ ଅଚେତନ କରି ଦେଲେ । ସମ୍ପୂର୍ଣ୍ଣ ସଂଜ୍ଞାହୀନ ହେବାର ବହୁ ପୂର୍ବରୁ ଅର୍ଦ୍ଧଚେତନ ଅବସ୍ଥାରେ ଅତି ନିଷ୍ଠୁର ଭାବରେ ସେମାନେ ହତ୍ୟା କଲେ ।

 

କିନ୍ତୁ କାହିଁକି ? ମୁଁ ତ ସେମାନଙ୍କର କ୍ଷତି କରି ନଥିଲି । ଭୁଲରେ ସୁଦ୍ଧା ସେମାନଙ୍କର ଅମଙ୍ଗଳ ଚିନ୍ତା କରି ନଥିଲି । ସେମାନେ ମୋର ବନ୍ଧୁ । ସେମାନେ ବି ତ ଅନେକ ଥର କହିଛନ୍ତି–ମୋ ଭଳି ବନ୍ଧୁ ପାଇବା ସେମାନଙ୍କ ଜୀବନରେ କୁଆଡ଼େ ପରମ ସୌଭାଗ୍ୟ । ତେବେ ହତ୍ୟା କରି ସେମାନେ କ’ଣ ମୋ ବନ୍ଧୁତ୍ୱର ମୂଲ୍ୟ ଦେବାକୁ ଚାହୁଁଥିଲେ ?

 

ବେଶ୍‌ ଭଲ ହେଲା । ହତ୍ୟା କରି ସେମାନେ ମୋତେ ମୁକ୍ତି ଦେଲେ । ଦୁଃଖ କରିବା ପରିବର୍ତ୍ତେ ମୁଁ ସେଥିପାଇଁ ଅନେକ ଖୁସି । ମୋର ଦୁଃଖ କେବଳ ସେଇମାନଙ୍କ ପାଇଁ । ମୋତେ ହତ୍ୟା କଲାବେଳେ ସେମାନେ ଯେମିତି ଆନନ୍ଦରେ ନାଚୁଥିଲେ ଏବେ ଯଦି ତା’ ଅପେକ୍ଷା ଦୁଇଗୁଣ ଆନନ୍ଦରେ ନାଚି ପାରନ୍ତେ, ତା’ହେଲେ ମୁଁ ବରଂ ବେଶୀ ଖୁସି ହୁଅନ୍ତି । ସେମାନଙ୍କ ନାଚ ଦେଖି ମୋ ଆତ୍ମା ବି ଆନନ୍ଦରେ ନାଚି ଉଠନ୍ତା । କିନ୍ତୁ ଦୁଃଖ—ସେମାନେ ମୋତେ ଦେଖି ଭୟ କରୁଛନ୍ତି ବୋଲି । ଦେଖିବାମାତ୍ରେ ଚିତ୍କାର କରି ଛାଟିପିଟି ହୋଇ ପଳେଇ ଯାଉଛନ୍ତି ବୋଲି । ସେମାନେ ବୋଧହୁଏ ଭାବୁଛନ୍ତି, ଭୂତ ହୋଇ ମୁଁ ସେମାନଙ୍କୁ ଡରେଇବି । ସେମାନଙ୍କ ପଛରେ ଗୋଡ଼େଇ ଗୋଡ଼େଇ ସେମାନଙ୍କୁ ହଇରାଣ କରିବି ।

 

ସେମାନେ କିନ୍ତୁ ଭୁଲ କରୁଛନ୍ତି । ସେମାନେ ଭୁଲି ଯାଉଛନ୍ତି ଯେ, ମୁଁ ଦିନେ ସେମାନଙ୍କୁ ଭଲ ପାଉଥିଲି, ସ୍ନେହ କରୁଥିଲି, ପ୍ରେମ କରୁଥିଲି । ମଧୁପାନ ପାଇଁ ନିମନ୍ତ୍ରଣ କରିବା ପୂର୍ବରୁ ଏବଂ ମଦ୍ୟପାଦ କରେଇ ହତ୍ୟା କରିବା ପରେ ସେମାନଙ୍କ ପାଇଁ ମୋ ପ୍ରେମର ସ୍ୱରୂପ ବଦଳିଯାଇ ନାହିଁ କି ବଦଳି ପାରେନା ।

 

ମୋର ଦୁଃଖ–ସେମାନେ ମୋତେ ଚିହ୍ନିଲେ ନାହିଁ । ଏତେ ଦିନର ବନ୍ଧୁତା ପରେ ସେମାନେ ମୋତେ ବୁଝିଲେ ନାହିଁ କି ବୁଝିବାକୁ ସାମାନ୍ୟ ଚେଷ୍ଟା ବି କଲେ ନାହିଁ ।

Image

 

ଜୀବନର ଅନ୍ୟନାମ

 

‘ପ୍ରେମ—ନାରୀ ପାଇଁ ଅତି ସାଧାରଣ କଥା ହୋଇପାରେ, ମାତ୍ର ପୁରୁଷକୁ ଏଥିପାଇଁ ଅନେକ ମୂଲ୍ୟ ଦେବାକୁ ହୁଏ । ଯେଉଁ ନାରୀମାନେ ମୋ ପାଇଁ ଥରେ ପ୍ରେମର ଶାଢ଼ୀ ପିନ୍ଧିଥିଲେ, ଶାଢ଼ୀ ବଦଳେଇ ସେମାନେ ପୁଣି ଦିନେ ନୂଆ ଶାଢ଼ୀ ପିନ୍ଧିଲେ ।

 

ମୁଁ କିନ୍ତୁ ଜଳିଲି । ତିଳ ତିଳ କରି ନିଜକୁ ସେଇ ପ୍ରୀତିର ନିଆଁରେ ଜାଳିଲି । ଏମିତି ଜାଳିବାରେ ବୋଧହୁଏ ମୋ ପାଇଁ ଥିଲା ଅନେକ ତୃପ୍ତି ଓ ଆନନ୍ଦ ?

 

ମୋତେ ଜଳୁଥିବାର ଦେଖି ମୋ’ଠାରୁ ବୟସରେ ଜ୍ୟେଷ୍ଠ, ସାଂସାରିକ ଅନୁଭୂତିରେ ଅଭିଜ୍ଞ ବନ୍ଧୁ ଜଣେ ଉପଦେଶ ଛଳରେ କହିଲେ କେତେଦିନ ତମେ ଆଉ ଏମିତି ନିଜକୁ ମିଛ କଳ୍ପନାର ନିଆଁରେ ଜାଳିବ ? ଜୀବନ ପ୍ରତି ଦୃଷ୍ଟି ଦିଅ । ‘ପ୍ରେମ’କୁ ପାଥେୟ କରି ଜୀବନ ଚାଲେନା-। ‘ପ୍ରେମ ହେଉଛି ଆକାଶର ଇନ୍ଦ୍ରଧନୁ ।’

 

ମିଛ ସ୍ୱପ୍ନ ବା ଭାବପ୍ରବଣତା ନୁହେଁ, କି ପ୍ରେମ ଆକାଶର ଇନ୍ଦ୍ରଧନୁ ନୁହେଁ । ମୁଁ ଯୁକ୍ତି କଲି । ପ୍ରେମ ହେଉଛି ପୃଥିବୀର ଏକମାତ୍ର ସତ୍ୟ ଓ ସବୁଠାରୁ ବଳି ମୂଲ୍ୟବାନ । ଯେଉଁ ଦିନ ପ୍ରେମ ଟିକକ ଆମେ ଭୁଲିଯିବା—ସେଦିନ ଏ ସାରା ପୃଥିବୀ ଧ୍ୱଂସ ପାଇଯିବ !!

 

‘‘କିନ୍ତୁ ପ୍ରେମକୁ ନ ଭୁଲି ତମେ ପାଇଲ କ’ଣ ? ପ୍ରେମ ତ ତୁମକୁ ଧ୍ୱଂସ କରିଦେଲା ।’’

 

‘‘ପ୍ରେମ ମୋତେ ଧ୍ୱଂସ କରି ନାହିଁ । ବରଂ ଗଢ଼ିଛି । ମୋତେ ସ୍ରଷ୍ଟା କରିଛି । ସୃଷ୍ଟିପାଇଁ ପ୍ରେରଣା ଦେଇଛି । ପ୍ରୀତି ଓ ପ୍ରଣୟର ନିଆଁରେ ନିଜକୁ ମୁଁ ଯେତିକି ଜାଳିଛି, ସାର୍ଥକ ସୃଷ୍ଟି ଭାବରେ ସେତିକି ସମ୍ମାନ ପାଇଛି, ପ୍ରତିଷ୍ଠା ପାଇଛି ।’’

 

ମୋ ପାଇଁ ଯେଉଁମାନେ ଦିନେ ପ୍ରଣୟର ଶାଢ଼ୀ ପିନ୍ଧି ଆକାଶର ନୀଳପରୀ ଭଳି ନିଜକୁ ସଜେଇଥିଲେ, ସେମାନେ ଆଜି ଏଇ ପୃଥିବୀରେ ‘‘ମାଆ’’ ହୋଇଛନ୍ତି । ମୋ ଭଳି ଅନେକ ପୁରୁଷକୁ ପିତୃତ୍ୱ ଦେଇଛନ୍ତି ।

 

ମୋ ମନର ଆକାଶରେ ସେମାନଙ୍କୁ ଦିନେ କଳ୍ପନାର ନୀଳପରୀ ଭାବରେ ଦେଖି ଯେତିକି ଖୁସି ମୁଁ ହୋଇଥିଲି, ଆଜି ସେମାନଙ୍କୁ ଅନେକ ସନ୍ତାନଙ୍କର ମାଆ ହେବାର ଦେଖି ମୁଁ ତା’ଠାରୁ ତ କିଛି କମ୍‌ ଖୁସି ହେଉନାହିଁ ?

 

ମୋର ଦୁଃଖ ! କିଛି ପାଇଲି ନାହିଁ ବୋଲି ଯନ୍ତ୍ରଣା ନା– ସେ କିଛି ନୁହେଁ ।

 

କାରଣ ଯନ୍ତ୍ରଣାରୁ ହିଁ ସୃଷ୍ଟି । ଯନ୍ତ୍ରଣାରେ ହିଁ ଜୀବନ ।

 

ଜୀବନର ଅନ୍ୟ ନାମ ତ ଯନ୍ତ୍ରଣା ।

Image

 

ଉଡ଼ିଗଲା ଚଢ଼େଇର ଗୀତ

 

ଛୋଟ ଗପଟିଏ କହୁଛି ।

 

ଶିକାର ଉଦ୍ଦେଶ୍ୟରେ ଦିନେ ବଣରେ ବୁଲୁ ବୁଲୁ ଦେଖିଲି ଗଛ ଡାଳରେ ସୁନ୍ଦର ଚଢ଼େଇଟିଏ ବସି ଗୀତ ଗାଉଛି । କାନ୍ଧରେ ଝୁଲୁଥିବା ବନ୍ଧୁକଟିକୁ ତା’ ଉଦ୍ଦେଶ୍ୟରେ ପ୍ରସ୍ତୁତ କରିବା ପୂର୍ବରୁ ଆପଣା ଛାଏଁ ଛାଏଁ ସେ ଆସି ମୋ କାନ୍ଧରେ ବସି ପଡ଼ିଲା । ଭାବିଲି, ହତ୍ୟା ନ କରି ଏଥର ତାକୁ ଘରକୁ ନେଇ ପଞ୍ଜୁରୀରେ ମୋର ସାଇତି ରଖିବି ।

 

ତାକୁ କାନ୍ଧରେ ବସେଇ କିଛିବାଟ ଯିବାପରେ ହଠାତ୍‌ କିନ୍ତୁ ସେ ମୋ ଉପରେ ଆକ୍ରମଣ କଲା । ତା’ର ଛୋଟ ଥଣ୍ଟଟିରେ ମୁହଁକୁ ମୋର ବାରମ୍ୱାର ଆଘାତ କରି ମୋତେ କ୍ଷତବିକ୍ଷତ ଓ ରକ୍ତାକ୍ତ କରି ପକେଇଲା ।

 

ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ି ମୁଁ ଦେଖିଲି, ମୋ ଦେହର ଗାଢ଼ ଲାଲ ରକ୍ତରେ ତଳର କଳାମାଟି କ୍ରମେ ଲାଲ ହେବାକୁ ଆରମ୍ଭ କରିଛି । ବହୁ ଦୂରରେ—ଉପରେ କିନ୍ତୁ ମନ ମତାଣିଆ ଗୀତ ଗାଇ ମନର ଚଢ଼େଇଟି ମୋର ଶୂନ୍ୟ ନୀଳ ଆକାଶରେ ମିଶି ଯାଉଛି ।

Image

 

ଋତୁ ପରିକ୍ରମା

 

ବସନ୍ତ ମୋ ଦେହରେ ହୋରିର ରଙ୍ଗ ଦେଲା ।

 

ଗ୍ରୀଷ୍ମ ସେ ରଙ୍ଗକୁ ଆହୁରି ଉଜ୍ଜ୍ୱଳ କରି ମୋ ମନରେ ପ୍ରୀତି ଓ ପ୍ରତ୍ୟୟ ସୃଷ୍ଟି କଲା ।

 

ବର୍ଷା କିନ୍ତୁ ସବୁ ରଙ୍ଗକୁ ଧୋଇ ଦେହ ଓ ମନକୁ ମୋର ବିବର୍ଣ୍ଣ କରିଦେଲା ।

 

ଏବେ ଖାଲି ଶୀତ । ଓଃ, ପ୍ରବଳ ଶୀତ, ବସନ୍ତରେ ଯେଉଁମାନେ ମୋତେ ଘର ଭିତରୁ ବାହାରକୁ ଆଣି ମୋ ଦେହରେ ରଙ୍ଗ ଦେଇଥିଲେ ଶୀତର ସଂକେତ ପାଇ ଭିତରକୁ ଯାଇ ସେମାନେ କବାଟ ବନ୍ଦ କରି ଦେଲେଣି । ମୁଁ ଏଥର ଏକୁଟିଆ ହୋଇ ବାହାରେ ବସିଛି । ଅସହ୍ୟ ଦୁଃଖ, ଯନ୍ତ୍ରଣା ଓ ଅନୁଶୋଚନାର ପ୍ରବଳ ଶୀତ ପବନ ମୋର ଫୁଙ୍ଗୁଳା ଦେହ ମନକୁ ଥରାଇ ଦେଉଛି ।

Image

 

ମୁଁ ମିତା, ଯୀଶୁ ଓ ଜଗନ୍ନାଥ

 

ମିତା ହାତରେ ଗୀତାଟିକୁ ମୁଁ ଧରେଇ ଦେଲି । ହିନ୍ଦୁର ପବିତ୍ର ଗ୍ରନ୍ଥ ଗୀତା । ଆନନ୍ଦରେ ସେ ତାକୁ ଗ୍ରହଣ କଲା । ଭକ୍ତିରେ ନେଇ ମୁଣ୍ଡରେ ମାରିଲା । ମିତା ଧରିଥିବା ବାଇବେଲ୍‌ଟି ମୁଁ ତା’ ହାତରୁ ନେଇ ଆସିଲି । ଖ୍ରୀଷ୍ଟଧର୍ମର ହୋଲିବୁକ୍‌ ବାଇବେଲ୍‌ ।

 

ମୁଁ ଆଉ ମିତା ।

 

ହିନ୍ଦୁ ଆଉ ଖ୍ରୀଷ୍ଟିୟାନ୍‌ ।

 

ହିନ୍ଦୁର ସନ୍ତାନ ମୁଁ ମାନସ ମିଶ୍ର ଖ୍ରୀଷ୍ଟିୟାନ୍‍ ହେଲି ।

 

ଖ୍ରୀଷ୍ଟଧର୍ମୀ ମିତା ହିନ୍ଦୁ ହେଲା ।

 

ମୁଁ ଆଉ ମିତା—ଉଭୟେ ହିନ୍ଦୁ ଆଉ ଖ୍ରୀଷ୍ଟିୟାନ୍‌ ।

 

ଖ୍ରୀଷ୍ଟିୟାନ୍‌ ଓ ହିନ୍ଦୁ ହୋଇଗଲୁ । ଆମ ଧର୍ମ ଓ ହୃଦୟ ବିନିମୟର ନୀରବଦ୍ରଷ୍ଟା ଥିଲେ ଯୀଶୁ ଓ ଜଗନ୍ନାଥ—ଦୁଇ ଧର୍ମର ପରମ ଆରାଧ୍ୟ ଦେବତା ।

 

କାନ୍ଥରେ ଝୁଲୁଥିବା ଯୀଶୁଙ୍କର ସେଇ ଛୋଟ ମୂର୍ତ୍ତିଟିକୁ ଚାହିଁଲି । କ୍ରୂଶବିଦ୍ଧ ଯୀଶୁ । ହାତ, ପାଦ, ଛାତି ସବୁଠି ତାଙ୍କର ଲୁହାର କଣ୍ଟା ପିଟି ଦିଆଯାଇଛି । ଝର ଝର ହୋଇ ଝରି ପଡ଼ୁଛି ରକ୍ତ । ଯୀଶୁଙ୍କ ଉପରୁ ଦୃଷ୍ଟି ଫେରେଇ ଆଣିଲି ମିତା ଉପରକୁ । ପାଖରେ ଠିଆ ହୋଇଥିଲା ମିତା-। ଦେଖିଲି ତା’ ଦେହରେ ବି ସେଇ ରକ୍ତର ଛିଟା । ତା’ ଦେହରେ ବି ପିଟା ହୋଇଛି ସେହି ଲୁହାର କଣ୍ଟା । ନିନ୍ଦା, ଦୁର୍ନାମ ଓ କଳଙ୍କର ଶକ୍ତ ଲୁହାର କଣ୍ଟା । ପ୍ରତିବାଦ କରିବାର ଶକ୍ତି ତା’ର ନାହିଁ କି ଇଚ୍ଛା ବି ନାହିଁ । ମୁହଁରେ କିନ୍ତୁ ଯନ୍ତ୍ରଣାର ସ୍ୱାକ୍ଷର ସୁସ୍ପଷ୍ଟ ।

 

ସମାଜର ସବୁ ଅନ୍ୟାୟ, ଅତ୍ୟାଚାରର ନୀରବ ଦ୍ରଷ୍ଟା ଚଳତ୍‍ ଶକ୍ତିହୀନ ମୂକ ଜଗନ୍ନାଥ । ‘ଜଗନ୍ନାଥଙ୍କ’ ଉପରୁ ଦୃଷ୍ଟି ଫେରେଇ ମୁଁ ମୋ ନିଜକୁ ଚାହିଁଲି । କ୍ରୂଶବିଦ୍ଧ ଯୀଶୁଙ୍କ ମୂର୍ତ୍ତି ପାଖରେ ହସ୍ତପଦବିହୀନ ଜଗନ୍ନାଥଙ୍କର ପ୍ରତିମୂର୍ତ୍ତି । ଆଉ ସେଇ କ୍ରୂଶବିଦ୍ଧ ରକ୍ତାକ୍ତ ମିତା ପାଖରେ ଠିଆ ହୋଇଛି ମୁଁ—ଏକ ନୀରବ, ମୂକ, ଶକ୍ତିହୀନ, ପଙ୍ଗୁ ପୁରୁଷ—ଜଗନ୍ନାଥଙ୍କର ସୁଯୋଗ୍ୟ ପ୍ରତିନିଧି ।

 

ମିତା ଦେହରୁ ରକ୍ତ ପୋଛି ମୋର ବାହୁ ବନ୍ଧନରେ ତାକୁ ଆଶ୍ରୟ ଦେବାର ସାହସ ମୋର ନାହିଁ । କିମ୍ୱା ଏ ସମାଜ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାର ଶକ୍ତି ଓ ସାମର୍ଥ୍ୟ ମଧ୍ୟ ମୁଁ ହରେଇ ବସିଛି । ଆଖି ଆଗରେ ସବୁ ଦେଖି ସବୁ ଶୁଣି ବି କିଛି କହିପାରୁନି—କିଛି କରିପାରୁନି ।

 

ମୁଁ ଦାରୁଭୂତ ମୁରାରି ପାଲଟି ଯାଇଛି । ଖଣ୍ଡିଆ ଜଗନ୍ନାଥଙ୍କ ଭଳି ସେମିତି ପଡ଼ିରହିଛି ନୀରବ, ନିଶ୍ଚଳ ନିସ୍ପନ୍ଦ ହୋଇ ।

Image

 

ରଜାଝିଅ କଥା

 

ରଜାଝିଅର କାହାଣୀ ।

 

ବାରହାତ ଲମ୍ୱବେଣୀ—ସୁନାନାକି ରଜାଝିଅ । ଅତି ଅଲିଅଳି ।

 

ମୋ ବାଟରେ ମୁଁ ଚାଲିଥିଲି । ଡାକିଲା ସେ ହାତଠାରି । ଆସ ମୋର ସପନକୁମାର । ରଜାପୁଅ ମୁଁ ନୁହେଁ କି ନୁହେଁ ବି ମୁଁ ମନ୍ତ୍ରୀପୁଅ । ରଜାପୁଅ, ମନ୍ତ୍ରୀପୁଅମାନେ କିନ୍ତୁ ମୋର ବନ୍ଧୁ—ଅନ୍ତରଙ୍ଗ ବନ୍ଧୁ । ତେଣୁ ରଜାଝିଅର ଡାକରେ ତା’ ପାଖକୁ ଗଲି । ମୋ କାନରେ ସେ ଆସି ଚୁପି ଚୁପି କହିଲା—କାଲି ମୋର ସ୍ୱୟମ୍ୱର । ତମେ ଆସିବ । ନିଶ୍ଚୟ ଆସିବ । ତମେ ମୋର ସ୍ୱପ୍ନର କୁମାର ।

 

ବନ୍ଧୁମାନଙ୍କୁ ଆସି କହିଲି । ସ୍ୱୟମ୍ୱର ସଭାରେ ଯୋଗ ଦେବାପାଇଁ ସେମାନଙ୍କୁ ଡାକିଲି-। ଯିବାପାଇଁ ସେମାନେ ରାଜି ହେଲେ । ତିନିବନ୍ଧୁ ଯାଇ ସ୍ୱୟମ୍ୱର ସଭାରେ ବସିଲୁ ।

 

ରଜାଝିଅ ଆସିଲା । ସଖୀ ସହଚରୀଙ୍କ ମେଳରେ ହାତରେ ବହୁରଙ୍ଗର ଫୁଲମାଳା ଧରି ଆସିଲା ରଜାଝିଅ । ବାରହାତ ଲମ୍ୱବେଣୀ—ସୁନାନାକି ରଜାଝିଅ ।

 

ରଜାଝିଅ ହାତରୁ ବରଣମାଳା ଗ୍ରହଣ କରିବାପାଇଁ ମୁଁ ନିଜକୁ ମନେ ମନେ ପ୍ରସ୍ତୁତ କରିନେଲି ।

 

ମନରେ କିନ୍ତୁ ଆଶଙ୍କା ? ସତରେ କ’ଣ ରଜାଝିଅ ତା’ ହାତର ବରଣମାଳାକୁ ମୋ ଗଳାରେ ଲମ୍ୱେଇ ଦେବ ? ମୁଁ ତ ରଜାପୁଅ ନୁହେଁ କ ନୁହେଁ ବି ମୁଁ ମନ୍ତ୍ରୀପୁଅ । କିନ୍ତୁ କ’ଣ ହେଲା ସେଇଠୁ ? ଯୁଦ୍ଧରେ ବାପା ମୋର ରାଜ୍ୟ ହାରି ନଥିଲେ ମୁଁ ବି ତ ରଜାପୁଅ ହୋଇଥାଆନ୍ତି । ମନରେ ପୁଣି ଆଶା–ରଜାଝିଅ ତ ମୋତେ କହିଛି—ମୁଁ ତା’ର ସପନକୁମାର ।

 

ନା—ନା ଆଶଙ୍କା ମୋର ବୃଥା । ତା’ ହାତର ବରଣମାଳା ନିଶ୍ଚୟ ମୋ’ପାଇଁ ।

 

ଏଇତ ରଜାଝିଅ ଆସୁଛି । ଯନ୍ତ୍ରଚାଳିତ ସଖୀ କଣ୍ଢେଇଟିଏ ଭଳି ସଖୀ ସହଚରୀଙ୍କ ମେଳରେ ଅତି ଧୀରେ ଧୀରେ ପଦଚାଳି ଆସୁଛି ରଜାଝିଅ ।

 

ମୋର ଖୁବ୍‌ ନିକଟକୁ ସେ ଏଥର ଆସିଗଲାଣି । ଶୂନ୍ୟ ଗଳାରେ ହାତଟାକୁ ମୁଁ ପୁଣିଥରେ ବୁଲେଇ ଆଣିଲି ।

 

ଏ କ’ଣ ! ହଠାତ୍‌ ରଜାଝିଅ ହାତରୁ ବରଣମାଳାଟା ଖସି ପଡ଼ିଲା– ମୋ ପାଖରେ ବସିଥିବା ମୋର ବନ୍ଧୁ ରଜାପୁଅର ବେକରେ ।

 

ରଜାଝିଅର ଏ କି ଦୃଷ୍ଟିଭ୍ରମ !

 

ରଜାପୁଅର ଓଠରେ ହସର ଢେଉ । ମୋ ଆଖିରେ ଲୁହର ବନ୍ୟା । ଓଠକୁ ଚିପି ଚିପି ହସୁଛି ରଜାଝିଅ ।

 

ଦୃଷ୍ଟି ଭ୍ରମ ତା’ର ହୋଇନାହିଁ । ତୃପ୍ତିର ହସ ହସି ମୋ କାନରେ ଆସି ପୂର୍ବଭଳି ସେ ସେମିତି ଚୁପି ଚୁପି କହିଲା–ତମେ ମୋର ସପନକୁମାର । ସ୍ୱପ୍ନର ନାୟକ । ମୁଁ ତମକୁ ଭଲପାଏ–ଖୁବ୍‌ ଭଲପାଏ । କିନ୍ତୁ ରଜାପୁଅକୁ ବରଣ କଲି । ସେ ହେବ ମୋ ଜୀବନ ଯୌବନର ନାୟକ-

 

ରଜାଝିଅ ଆଡ଼େ ଚାହିଁଲି । ରଜାପୁଅର ହାତରେ ହାତ ଛନ୍ଦି, ବାରହାତର ଲମ୍ୱବେଣୀକୁ ହଲେଇ ରଜାଝିଅ ଏଥର ତା’ର ଯାତ୍ରା ଆରମ୍ଭ କରିଦେଲାଣି ।

Image

 

ଗୁଜବ

 

ଗୁଜବ ଶୁଣିବ ନାହିଁ ।

 

ଶୁଣିଲେ ବିଶ୍ୱାସ କରିବ ନାହିଁ ।

 

ବିଶ୍ୱାସ କଲେ ପ୍ରଚାର କରିବ ନାହିଁ ।

 

ଏହା ହିଁ ମୋର ନୀତି ।

 

ମୋର ନୀତି ଓ ପ୍ରକୃତି ସହିତ ତୁମେ ଆଦୌ ଅପରିଚିତ ନୁହଁ, ଅଥଚ ତୁମ ପ୍ରତି ମୋର ନିବିଡ଼ ଆନ୍ତରିକତାକୁ କେନ୍ଦ୍ର କରି ଯେଉଁଦିନ ଅନେକ ଗୁଜବ ଏ ସହରରେ ପ୍ରଚାରିତ ହେଲା ସେଦିନ ତୁମ ପରିବାରର ପ୍ରାୟ ସମସ୍ତେ ଏହାକୁ ସତ୍ୟ ବୋଲି ଗ୍ରହଣ କରିନେଲେ । ସେମାନଙ୍କ ସହିତ ତୁମେ ମଧ୍ୟ ବିଶ୍ୱାସ କରିନେଲ ଯେ ଏ ‘ଗୁଜବ’ର ପ୍ରଚାର ଓ ପ୍ରସାର ମୂଳରେ ମୋର ମଧ୍ୟ ଭୂମିକା ରହିଛି । ମୋର ନୀତି ଓ ପ୍ରକୃତି ପ୍ରତି ଅବିଶ୍ୱାସ ଏବଂ ପ୍ରଚାରିତ ଗୁଜବ ପ୍ରତି ତୁମର ବିଶ୍ୱାସ ମୋତେ ଅତିମାତ୍ରାରେ ଆଶ୍ଚର୍ଯ୍ୟ ଓ ଆହତ କଲା ।

 

ଜଳଶୂନ୍ୟ ନଦୀର ଯନ୍ତ୍ରଣା ମୁଁ ଅନୁଭବ କଲି, କିନ୍ତୁ ଏହା ବିରୁଦ୍ଧରେ ସାମାନ୍ୟତମ ପ୍ରତିବାଦ ନ କରି ସମ୍ପୂର୍ଣ୍ଣ ନୀରବ ରହିବାକୁ ମୁଁ ଉଚିତ ମନେକଲି । ମୋର ନୀରବତାହିଁ ଗୁଜବକୁ ସତ୍ୟ ବୋଲି ଗ୍ରହଣ କରିନେବା ଦିଗରେ ଅନେକଟା ସାହାଯ୍ୟ କଲା ।

 

ଆଜି ତୁମ ନବଜନ୍ମର ଶୁଭ ତିଥି । ତୁମର ସୁଦର୍ଶନ ସ୍ୱାମୀଙ୍କ ଚରିତ୍ରକୁ କେନ୍ଦ୍ର କରି ଅନେକ ଗୁଜବ ଏ ସହରରେ ବହୁ ପୂର୍ବରୁ ପ୍ରଚାରିତ ହୋଇ ଯାଇଛି । (ଆଶ୍ଚର୍ଯ୍ୟ ହେଲେବି) ଖୁବ୍‌ ଖୁସି ଲାଗୁଛି ଯେ, ତୁମେ ସେ ସବୁ ବିଶ୍ୱାସ କରିବା ତ ଦୂରର କଥା—ଶୁଣିବା ମଧ୍ୟ ଉଚିତ ମନେକରିନାହଁ । ମୁଁ ଖୁସି କେବଳ ଏଇଥିପାଇଁ ଯେ, ପ୍ରକୃତରେ ତୁମେ ମୋର ନୀତି ଉପରେ ବିଶ୍ୱାସ ରଖିପାରିଛି ।

 

ବିବାହ ପରେ ସ୍ୱାମୀର ସଂସାରରେ ମୋର ଚରିତ୍ର ସମ୍ପର୍କରେ ପ୍ରଚାରିତ ଗୁଜବକୁ ବିଶ୍ୱାସ କରି ମୋତେ ଭୁଲିଯାଅ – ସୁଖୀ ହେବ । କିନ୍ତୁ ସ୍ୱାମୀଙ୍କ ସମ୍ପର୍କରେ ପ୍ରଚାରିତ ଗୁଜବକୁ ବିଶ୍ୱାସ କରି ତାଙ୍କୁ ସନ୍ଦେହ କଲେ ମୁଁ ଭୀଷଣ ଦୁଃଖ ପାଇବି ।

 

ମୋର ଏକମାତ୍ର କାମନା—ତୁମର ସୁଖ ଓ ସମୃଦ୍ଧି ।

 

ତୁମର ସମସ୍ତ ଦୁଃଖ ଜହ୍ନିଫୁଲର ଆୟୁଷ ନେଉ । ସୁଖ-ସୌଭାଗ୍ୟ ଓ ସୀମନ୍ତର ସିନ୍ଦୂର ଏ ଗ୍ରୀଷ୍ମର ସୌରରଶ୍ମି ଭଳି ଚିରଦିନ ଉଜ୍ଜ୍ୱଳତାରେ ଉଦ୍ଭାସିତ ହେଉ ।

 

‘ନବଜନ୍ମ’ ତୁମର ସାର୍ଥକ ଓ ସୁନ୍ଦର ହେଉ ।

Image

 

ମୁଁ ଅଧ୍ୟାପକ ବିଶ୍ୱରଞ୍ଜନ

 

ମୁଁ କିଏ ?

 

ଆପଣମାନେ କହିପାରନ୍ତି– ମୁଁ ବିଶ୍ୱରଞ୍ଜନ । ଅଧ୍ୟାପକ ବିଶ୍ୱରଞ୍ଜନ । ସ୍ମିତା ବି ସେଇଆ କହିଲା । କିନ୍ତୁ ସତରେ କ’ଣ ମୁଁ ଅଧ୍ୟାପକ ? ଗୋଟିଏ ଖ୍ୟାତନାମା ବିଶ୍ୱବିଦ୍ୟାଳୟରୁ ହୁଏତ ଏମ୍‌.ଏ, ଡିଗ୍ରିଟାଏ ପାଇଛି । ଅଧ୍ୟାପକ ପାଇଁ ଶିକ୍ଷା ବିଭାଗର ନିର୍ଦ୍ଦେଶକଙ୍କଦ୍ୱାରା ଯୋଗ୍ୟ ବିବେଚିତ ହୋଇଛି । କିନ୍ତୁ ବିଶ୍ୱବିଦ୍ୟାଳୟର ଏମ.ଏ. ଡିଗ୍ରି ଧରି ଅଧ୍ୟାପନା କାର୍ଯ୍ୟରେ ନିଯୁକ୍ତି ପାଇଲେ ସମସ୍ତେ କ’ଣ ଅଧ୍ୟାପକ ହୁଅନ୍ତି ?

 

ମୁଁ ଭାବୁଛି ବୋଧେ ନୁହେଁ ।

 

ଅଧ୍ୟାପକ ମୋ ଜୀବିକାର ପରିଚୟ—ଯୋଗ୍ୟତାର ନୁହେଁ ।

 

ଆପଣ ପୁଣି କହିଲେ ମୁଁ ବିଶ୍ୱରଞ୍ଜନ । କିନ୍ତୁ ସତରେ ମୁଁ କ’ଣ ବିଶ୍ୱରଞ୍ଜନ ? ବିଶ୍ୱକୁ-ରଞ୍ଜନ କରିବାର ସାମର୍ଥ୍ୟ କ’ଣ ମୋ ଭିତରେ ଅଛି ? ମୋ ସମ୍ପର୍କର ସୀମିତ ବିଶ୍ୱରେ ସେମାନଙ୍କ ଭିତରୁ ବି ଅନେକ ମୋତେ ଦେଖିଲେ ଈର୍ଷା, ଘୃଣା ଓ କ୍ରୋଧରେ ଜଳି, ଜଳି, ଲାଲ ପଡ଼ିଯାନ୍ତି ।

 

ମୁଁ ତେଣୁ ଭାବୁଛି, ଆପଣମାନେ ପୁଣି ଭୁଲ କହିଛନ୍ତି । ବିଶ୍ୱ କେତେ ବିରାଟ ! ଆଉ ମୁଁ କେତେ କ୍ଷୁଦ୍ର ! ବିଶ୍ୱକୁ ରଞ୍ଜନ କରିବାର ଶକ୍ତି ମୋର କାହିଁ ? ମୁଁ ତେଣୁ ବିଶ୍ୱରଞ୍ଜନ ନୁହେଁ ।

 

ବିଶ୍ୱରଞ୍ଜନ ମୋର ନାଁ ମୋତେ ଆପଣଙ୍କ ଆଗରେ ପରିଚିତ କରେଇବା ପାଇଁ କେବଳ ଗୋଟିଏ ମାଧ୍ୟମ । ଗୋଟିଏ ସଂକେତ । ଠିକ୍‌ ଯେମିତି ଗୋଟିଏ ଅନ୍ଧର ନାଁ ପଦ୍ମଲୋଚନ-

 

ଏଥର ଆପଣମାନେ ନୀରବ ରହିଲେ । ଆପଣଙ୍କ ନୀରବତାରୁ ମୁଁ ଠିକ୍‌ ବୁଝିନେଲି ଯେ, ଆପଣମାନେ ମୋର ବକ୍ତବ୍ୟକୁ ସମର୍ଥନ ଜଣାଇଲେ ।

 

କିନ୍ତୁ ସ୍ମିତା କ’ଣ କହିଲା ଜାଣନ୍ତି—ସେ କହିଲା ମୋ ପାଇଁ, କିନ୍ତୁ ଆପଣଙ୍କର ଗୋଟିଏ ଯୋଗ୍ୟତା ଅଛି । ସେହିଟାକୁ ଆପଣ ଅସ୍ୱୀକାର କରିପାରିବେ ନାହିଁ ।

 

ପ୍ରଶ୍ନିଳ ଦୃଷ୍ଟିରେ ମୁଁ ତାକୁ ଚାହିଁଲି, ହଠାତ୍‌ ମୋର ଗଳାରେ ତା’ର ହାତ ଦୁଇଟାକୁ ଛନ୍ଦିଦେଇ, ମୋ ଓଠରେ ଓଠକୁ ତା’ର ଚାପି ଧରି କହିଲା—ନ ହୋଇ ପାର ତୁମେ ଅଧ୍ୟାପକ, ନ ହୁଅ ପଛେ ବିଶ୍ୱରଞ୍ଜନ, ତୁମେ କିନ୍ତୁ ଯୌବନ । ମୁଁ ବି ଯୌବନ । ଆମେ ଦୁହେଁ ‘‘ଯୌବନ’’ । ଯୋଗ୍ୟତା ଆମର ‘‘ପ୍ରେମ’’ ।

 

ସ୍ମିତାକୁ ମୁଁ ଚାହିଁଲି । ମୋର କଣ୍ଠଲଗ୍ନା ହୋଇ ସ୍ମିତା ମୋତେ ମଧୁପାନ କରାଇବାରେ ବ୍ୟସ୍ତ ଥାଏ ।

 

ସ୍ମିତା ମୋର.... ।

 

ନା... ନା... ସେ ମୋର ପ୍ରେମିକା ।

 

ମୁଁ ଅଧ୍ୟାପକ ବିଶ୍ୱରଞ୍ଜନ ।

 

ନା... ନା... ମୁଁ ଯୌବନ ।

 

ଖାଲି ଯୌବନ ।

 

........... ।

Image

 

ଚିଠି

 

୧ । ପ୍ରଳାପ ଓ ବିଳାପ

 

ମୋ ଚିଠି ତମେ ସତରେ ପଢ଼ କି ନାହିଁ—

 

ପଢ଼ିଲେ ସେଥିରୁ କିଛି ବୁଝ କି ନାହିଁ—ମୁଁ ଜାଣେନା । କିନ୍ତୁ ଦେଖିଛି—ମୋ ‘ଚିଠି’ ପାଇଲେ ତମେ ଖୁବ୍‌ ଖୁସି ହୁଅ । ନ ପାଇଲେ ଅଭିମାନରେ କଥା ନ କହି ଚାଲିଯାଅ ।

 

ସେ ଦିନ କିନ୍ତୁ ବିନା କାରଣରେ ଏତେବଡ଼ ଆଘାତଟାଏ ଦେଇଯିବ ବୋଲି ମୁଁ କ’ଣ କେବେ ଭାବିଥିଲି ? ମଣିଷର ଭାବନା ଆଉ ଘଟୁଥିବା ଘଟଣା ଭିତରେ କେତେ ଫରକ ସତରେ-?

 

ତୁମର ବନ୍ଧୁ କହୁଥିଲେ—ତୁମର ମୁଣ୍ଡ କୁଆଡ଼େ ସବୁବେଳେ ଠିକ୍‌ ନଥାଏ । ମଝିରେ ମଝିରେ ସାମାନ୍ୟ ପାଗଳାମି ବାହାରେ ।

 

ବିଶ୍ୱାସ କରିବ ନାହିଁ ବୋଧହୁଏ–ଏଇ ‘‘ପାଗଳାମି’’କୁ ମୁଁ ଭଲପାଏ । ଆଉ ତୁମକୁ ଭଲ ପାଇବା କୁଆଡ଼େ ମୋର ପାଗଳାମି ଛଡ଼ା ଅନ୍ୟକିଛି ନୁହେଁ ବୋଲି ମୋର ବନ୍ଧୁମାନେ ମତ ଦିଅନ୍ତି-

 

ବଞ୍ଚିବା ପାଇଁ ତ ଆମେ ସମସ୍ତେ ପାଗଳ । ପାଗଳ ବୋଲି ତ ଆମେ ଆଜି ବଞ୍ଚିଛୁ ।

 

ମୋ ଚିଠି—ମୋ ମନର-ଲିପି ମୋର ଭଲ ପାଇବାକୁ ପାଗଳର ପ୍ରଳାପ ଭାବି ଉପହାସରେ ଫିଙ୍ଗି ଦେବ ନାହିଁ ତ ?

 

୨ । ଚିଠି : ମୌସୁମୀକୁ

 

ଏଇ ବିଦାୟୀ ଗ୍ରୀଷ୍ମରେ ତ ତମେ ମୋତେ ପ୍ରତିଶ୍ରୁତି ଦେଇଗଲ—ମୋ ପାଇଁ ‘‘ବର୍ଷାର ସଙ୍ଗୀତ’’ ହେବ ବୋଲି । ରିମ୍‌ଝିମ୍‌ ରିମ୍‌ଝିମ୍‌ ହୋଇ ଝରି ପଡ଼ିବ ଜଳଶୂନ୍ୟ ମୋ ଗହନ ମନର ଅରଣ୍ୟ ଭିତରେ ।

 

କିନ୍ତୁ ! ଆଶ୍ଚର୍ଯ୍ୟ !

 

ବର୍ଷାର ବେଗ ଯେତିକି ବଢ଼ିବାକୁ ଲାଗିଛି–ତୁମ ଓ ମୋ ଭିତରେ ବ୍ୟବଧାନ ବି ସେତିକି ବଢ଼ି ଚାଲିଛି ।

 

ମୁଁ ତୁମକୁ ଖୋଜୁଛି—କେଉଁଠି ଲୁଚିଲ ତମେ ?

 

ଆକାଶରେ ମେଘ, ପୃଥିବୀରେ ବର୍ଷା । ଚାରିଦିଗ ଅନ୍ଧାର । ଖାଲି ମେଘ ଆଉ ଅନ୍ଧାର-। ଅନ୍ଧାର ଆଉ ମେଘ ।

 

ସେଇ ମେଘ—ଅନ୍ଧାର ଭିତରେ ମୁଁ ତୁମକୁ ଖୋଜୁଛି ।

 

ଏତେ ‘ବର୍ଷା’ରେ ବି ମୁଁ ଜଳୁଛି । ଅନ୍ଧାର ଭିତରେ ଅନ୍ଧ ହୋଇ ଖୋଜିବାରେ ଲାଗିଛି ।

 

ଖାଲି ଖୋଜୁଛି ଆଉ ଖୋଜୁଛି ।

 

କିନ୍ତୁ ପାଉନାହିଁ ପାଉନାହିଁ....

 

ସତରେ କ’ଣ ତମେ ଆସିବ ନାହିଁ ?

 

ରିମ୍‌ଝିମ୍‌ ରିମ୍‌ଝିମ୍‌ ତାନେ ‘‘ବର୍ଷାର ସଙ୍ଗୀତ’’ ହୋଇ ଝରି ପଡ଼ିବ ନାହିଁ ମୋର ଉତ୍ତପ୍ତ ଗହନ ମନ-ଅରଣ୍ୟରେ ?

Image

 

ଝରାପତ୍ରର ମର୍ମର

 

ମୁଁ ଜାଣେ, ଗଛରୁ ଥରେ ପତ୍ର ଝଡ଼ିବାକୁ ଆରମ୍ଭ କଲେ ଆଉ ତାକୁ ଯୋଡ଼ିହୁଏ ନାହିଁ । ଭୁଲ ବୁଝିବା ଥରେ ଆରମ୍ଭ ହୋଇଗଲେ ଆଉ ଭଲ ପାଇ ହୁଏ ନାହିଁ ।

 

ଭଲ ପାଇବା ସରିଗଲେ କଥା ସବୁ ସରିଯାଏ । ଫୁଲଗଛ ମରିଯାଏ । ‘ହଇରେ ଫୁଲଗଛ କାହିଁକି ମଲୁ’—କେହି ପଚାରିଲେ କଥା ଚାଲିଯାଏ ଧୂଳିଆ ଜନ୍ଦା ପାଖକୁ ।

 

କିଏ ଦେଖିଛି—

 

କେଉଁଠି ଥାଏ ସେ ଧୂଳିଆ ଜନ୍ଦା—

 

ଚୁପ୍‌କିନା ଚାଲଆସେ,

 

ରୁଟ୍‌କିନା କାମୁଡ଼ି ଦେଇ

 

କେତେ ଛଟକରେ ଖସିଯାଏ ।

 

ଆକାଶରୁ ନୀଳିମାକୁ କିଏ ସେତେବେଳକୁ ଚୋରେଇ ନେଇଥାଏ ।

 

ଏଣେ ଫୁଲଗଛ ତଳେ ମରି ଶୋଇଥାଏ ।

 

ନିଦରେ ଘୁମେଇ ପଡ଼ିଥାଏ ନଈ

 

ନଈ ପଠାରେ ଶୂନ୍ୟ କଳସୀ

 

ଅଳସୋଇ ନଈକୁ ନିଦରୁ ଉଠେଇ

 

ଶୂନ୍ୟ କଳସୀରେ ପାଣି ଭରିବ କିଏ ?

 

ମଲା ଫୁଲଗଛରେ ପାଣି ଢାଳିବ କିଏ ??

 

ମୌନତାର ମୂର୍ତ୍ତିଟିଏ ହୋଇ ଠିଆ ହୋଇଛି ବଧୂ

 

ତଳେ ଭାଙ୍ଗି ପଡ଼ିଛି ତା’ ହାତର ନାଲିନୀଳ ରୁଣୁଝୁଣୁ ସ୍ୱପ୍ନ

 

ଭଙ୍ଗା ସ୍ୱପ୍ନର କ୍ଷତରେ ଆରକ୍ତ ତା’ର ଦୁଇହାତ ।

 

ଥରେ ସ୍ୱପ୍ନ ଭାଙ୍ଗିଗଲେ ଆଉ କ’ଣ ତାକୁ ନିଜର କରିହୁଏ ?

 

ନା ଝଡ଼ି ପଡ଼ିଥିବା ପତ୍ରକୁ

 

ଗଛରେ ପୁଣିଥରେ ଯୋଡ଼ି ଦେଇ ହୁଏ ?

Image

 

ଦଶହରା

 

ଦଶହରା ।

 

ଶରତ୍‌କାଳ । ଆକାଶରେ ମେଘଙ୍କର ମେଳା । ଭାସି ଯାଉଥାଆନ୍ତି—କେତେବେଳେ କେମିତି ଆସି ଛୁଇଁଯାଆନ୍ତି ଧରିତ୍ରୀକୁ ।

 

ଧରିତ୍ରୀର ଦୁଃଖ—ମେଘମାନେ ବା କାହୁଁ ବୁଝିବେ ? କୋଳଶୂନ୍ୟ ଧରିତ୍ରୀର ।

 

ଯେତେକ ସନ୍ତାନ ତା’ର ଜନ୍ମିଲେ, ଥୋକାଏ ସେଥିରୁ ଅସୁର ପାଲଟିଗଲେ । ବାକି ସଭିଙ୍କର ଦୟନୀୟ ଆତ୍ମସମର୍ପଣ ସେ ଅସୁରମାନଙ୍କ ନିକଟରେ ।

 

ସେମାନଙ୍କର ଅପେକ୍ଷା—ଉଦ୍ଧାର ପାଇଁ ଦେବୀ ଆସିବେ । କଣ୍ଠେ କଣ୍ଠେ ତାଙ୍କରି ଆବାହନୀ । ସ୍ତବ ଓ ସ୍ତୁତିଗାନ ।

 

ସ୍ତୋତ୍ର ଓ ମନ୍ତ୍ରପାଠ । ଶୁଭିଯାଉଛି ଘଣ୍ଟାଘଣ୍ଟ, ଭେରୀତୁରୀ, ମୃଦଙ୍ଗ କାହାଳୀ ।

 

ବହୁ ବିଳମ୍ୱରେ ଆସିଲେ ଦେବୀ । ମହିଷାର ଗର୍ଜନରେ ମେଦିନୀ କମ୍ପୁଛି ।

 

ଏ କ’ଣ ? ଚକ ଘୂରିଯାଇଛି । ମହିଷା ଏକ ନୁହେଁ—ଅନେକ ।

 

ଦଶଭୂଜାଙ୍କ ହାତରୁ ଅସ୍ତ୍ରସବୁ ଖସିପଡ଼ୁଛି । ସହସ୍ର ବାହୁ ବିସ୍ତାର କରି ମାଡ଼ି ଆସୁଛି ମହିଷା ।

 

ଦେବୀ ଏବେ ଭୂତଳଶାୟିନୀ । ଚାରିପଟେ ଘେରି ରହିଛନ୍ତି ମହିଷାର ଦଳ । ଚର ଅନୁଚର । ଛାତି ଉପରେ ମହିଷା ବସି ରକ୍ତ ପିଉଛି । ଦେବୀ ଅସହାୟା ।

 

ଆର୍ତ୍ତ ମଣିଷର ସ୍ୱର ଆଉ ଶୁଭୁ ନାହିଁ । ସ୍ତୋତ୍ର ନାହିଁ କି ମନ୍ତ୍ର ନାହିଁ । ଶୁଭୁ ନାହିଁ ପୂଜାପାଠ ବା ପ୍ରାର୍ଥନା ସଙ୍ଗୀତ । ଚାରିଆଡ଼େ ଅଦ୍ଭୁତ, ଅସହ୍ୟ ନୀରବତା ।

 

ସମସ୍ତେ ନିଜ ନିଜ ଗୁହାଟି ଭିତରେ.... ଲୁଚିଛପି ଦେଖୁଛନ୍ତି ଏ ବିଚିତ୍ର ଦୃଶ୍ୟ ।

 

ଉନ୍ମତ୍ତ ମହିଷାର ନୃତ୍ୟ ଚାଲିଛି । ଦେବୀ ଏବେ ମୂର୍ତ୍ତି ମାତ୍ର । ମୃଣ୍ମୟୀ । ତାଙ୍କୁ ଆଉ ଚିନ୍ମୟୀ କରିବ କିଏ ? କାହାନ୍ତି କେଉଁ ଦେବତା ?

 

ଅଶିଣର ଆକାଶରେ ଭସା ବାଦଲର ପଟୁଆର । ଆଉ କାହାରି ମୁହଁ ଦିଶୁ ନାହିଁ । ଦଶହରା ଆସିବାକୁ ଆଉ କେତେ ଡେରି ?

Image

 

ଅସହାୟ ମଧ୍ୟବିନ୍ଦୁ

 

ବଡ଼ ଅଦ୍‍ଭୁତ ।

 

ବୁଝି ପାରେନା ଏମିତି କାହିଁକି ହୁଏ ?

 

ଶ୍ରୀମନ୍ଦିର ବେଢ଼ା ଭିତରେ ଗରୁଡ଼ ସ୍ତମ୍ଭ ପଛପଟେ ଠିଆ ହୋଇ ଚକାଡୋଳାକୁ ଚାହିଁଦେଲେ ମୋ ଆଖିରେ ଶ୍ୱେତପଦ୍ମାର ବନ୍ଧନୀମୁକ୍ତ ବକ୍ଷୋଜ ।

 

କଳା ଠାକୁରର ଆଶ୍ଚର୍ଯ୍ୟ ସୁନ୍ଦର ଆଖି ଦୁଇଟି ଶ୍ୱେତପଦ୍ମାର ସମୁନ୍ନତ ସ୍ତନ ଯୁଗଳରେ ରୂପାନ୍ତରିତ ହୋଇଯାଏ ।

 

ମନ ଉଚ୍ଚାଟ ହୁଏ ।

 

ଗରୁଡ଼ ଖୁମ୍ୱକୁ ଅନେକ ସମୟ ଯାଏଁ କୁଣ୍ଢେଇ ଧରି ଠିଆ ହୁଏ । ଭୁଲିଯାଏ ଦେବତାର ଉଦ୍ଦେଶ୍ୟରେ କଣ୍ଠସ୍ଥ କରିଥିବା ସବୁ ଶ୍ଳୋକ, ସ୍ତୋତ୍ର, ମନ୍ତ୍ର ଓ ପ୍ରାର୍ଥନା ସଙ୍ଗୀତ । ଭୁଲିଯାଏ ଯେ ଗରୁଡ଼ ଖୁମ୍ୱକୁ ଛୁଇଁବା ଲାଗି ମୋ ପଛରେ ଆହୁରି ଅନେକ ଭକ୍ତଙ୍କର ଭିଡ଼ ।

 

ନିଜକୁ ଅପରାଧୀ—ଅପରାଧୀ ମନେହୁଏ । ମୁଁ ମନ୍ଦିରରୁ ବାହୁଡ଼ି ଆସେ ।

 

ଯେତେବେଳେ ‘ଶ୍ୱେତପଦ୍ମା’ର ଦେହ ଦେଉଳ ପାଖରେ ଯାଇ ଉଭା ହୁଏ, ମୋ ଲାଗି ଆପେ ଆପେ ତା’ର ସିଂହଦ୍ୱାର ଖୋଲିଯାଏ । ଫିଟିଯାଏ ବକ୍ଷବାସ । ଅନାବୃତ ହୁଏ ସବୁ ଆଭରଣ । ତା’ ବୁକୁର ସେଇ ନିରାଭରଣ ବିଶ୍ୱବ୍ରହ୍ମାଣ୍ଡ ଦୁଇଟିକୁ ମୁଗ୍‌ଧ ଚକିତ ଦୃଷ୍ଟିରେ ଦେଖୁ ଦେଖୁ ମୋ ପାଇଁ ତାହା କାଳିଆର ‘ଚକାଡୋଳା’ ହୋଇଯାଏ ।

 

ଫୁଟି ଉଠୁଥିବା ରକ୍ତ ହଠାତ୍‌ ଶିଥିଳ ହୋଇଯାଏ ।

 

ପରମ ଆଗ୍ରହରେ ମୋର ହାତ ଦୁଇଟିକୁ ସେ ନେଇ ତା’ର ଛାତି ଉପରେ ଚାପି ଧରେ-। ମୋର ହାତ କିନ୍ତୁ ତା’ର କ୍ରିୟା ଶକ୍ତି ସେତେବେଳକୁ ହରେଇ ବସିଥାଏ । ଲୋମଶ ଛାତିରେ ମୋର ମୁହଁ ଘଷି, ମୋ ଓଠରେ ଅଗ୍ନି ସଂଯୋଗ କରି ସେ ନିଜେ ଜଳି ଉଠେ । ମୋତେ ଜାଳିବାକୁ ଚେଷ୍ଟା କରେ ।

 

ମାତ୍ର ସବୁଚେଷ୍ଟା ତା’ର ବୃଥା ଯାଏ ।

 

ମୁଁ ସେତେବେଳକୁ ଆଉ ପୁରୁଷ ନୁହେଁ – ତା’ ପାଇଁ କାଠର କଣ୍ଢେଇଟିଏ । ସ୍ଥିର ନିଷ୍କ୍ରିୟ ଓ ନିଶ୍ଚଳ ।

 

ଆଖିରେ ତା’ର ଲୁହ ।

 

ମୁଁ କିନ୍ତୁ ଅସହାୟ ।

 

ଏକ ଅଜ୍ଞାନ, ଅବୋଧ ବାଳକ ମୁଁ । ମୋ ଆଖି ସାମ୍‌ନାରେ ସେଇ ଚକାଡୋଳାକୁ ଦେଖି ପୂର୍ବରୁ ଶିଖିଥିବା ପ୍ରାର୍ଥନାର ସ୍ତବ ମୋ କଣ୍ଠରେ ସ୍ୱତଃ ଉଚ୍ଚାରିତ ହୋଇଯାଏ—

 

‘‘ସତ୍ୟ ପଥେ ଧର୍ମ ପଥେ ଘେନିଯାଅ ମୋତେ

ଭସାଅ ପରାଣ ମୋର ତବ ପ୍ରେମ ସ୍ରୋତେ ।’’

 

ଶ୍ୱେତପଦ୍ମାର ଆଖିରୁ ସେତେବେଳକୁ ଲୁହ ବଦଳରେ ନିଆଁ ଝରୁଥାଏ ।

 

କାହିଁକି... କାହିଁକି ଏମିତି ହୁଏ ?

 

କାହାକୁ ପଚାରିବି—କିଏ ଦେବ ମୋ ପ୍ରଶ୍ନର ଉତ୍ତର ?

 

—ଅସମ୍ପୂର୍ଣ୍ଣ ବିଗ୍ରହର ପୂର୍ଣ୍ଣ ବ୍ରହ୍ମ କାଳିଆ ଠାକୁର ନା ପୂର୍ଣ୍ଣଯୌବନା ‘‘ଶ୍ୱେତପଦ୍ମା’’–ନାୟିକା ମୋର ଅସମ୍ପୂର୍ଣ୍ଣ ଜୀବନ—କାବ୍ୟର ??

 

କିଏ ପର ! କିଏ ବା ଆପଣାର ?

 

କିଏ ମୋର ନିକଟର—କିଏ ବା ସୁଦୂର ?

 

ଅସମାହିତ ଏ ପ୍ରଶ୍ନର ଉତ୍ତର ପାଇଁ ମୁଁ କେବଳ ଗୋଟିଏ ମନ୍ଦିରରୁ ଅନ୍ୟ ଏକ ମନ୍ଦିରର ସିଂହଦ୍ୱାର ଯାଏଁ ଅଣନିଃଶ୍ୱାସୀ ହୋଇ ଦଉଡ଼ିବାରେ ଲାଗିଛି ।

Image

 

ଗପ ପାଇଁ ଗଳ୍ପଟିଏ

ଶ୍ରୀ ବଳରାମ ଦାସ

 

ଦିନଥିଲା, ଯେତେବେଳେ କଥା କହିବା ଓ କଥା ଶୁଣିବା ମଣିଷର ଏକ ପ୍ରବୃତ୍ତିରେ ପରିଣତ ହୋଇଯାଇଥିଲା । ମଣିଷ ସେଦିନ ଖୁବ୍‌ ସୀମିତ ଥିଲା ଓ ସେଇ ହେତୁରୁ ସେ ଏଥିପାଇଁ ପ୍ରଚୁର ଅବକାଶ ମଧ୍ୟ ସୃଷ୍ଟି କରିଥିଲା । ସେ ସେଦିନ ହୁଏତ ନିଜର ଅଜାଣତରେ ସାହିତ୍ୟ ସୃଷ୍ଟି କରିଥିଲା, କିନ୍ତୁ ତା’ ପାଖରେ ସାହିତ୍ୟ ସୃଷ୍ଟିର କୌଣସି ଉତ୍ତେଜନା ନଥିଲା । ସେ ତେଣୁ ଗଳ୍ପ କରିପାରୁଥିଲା । ମନଖୋଲି, ଗଳ୍ପ କହି ମଧ୍ୟ ପାରୁଥିଲା ଅନର୍ଗଳ । ସେ ଦିନର ପରିବେଶରେ ଏହାହିଁ ଥିଲା ତା’ର ମିଳୁଥିବା ପ୍ରଚୁର ଅବସରର ସର୍ବୋତ୍ତମ ଚିତ୍ତ-ବିନୋଦନ । ତା’ପରେ ଆସ୍ତେ ଆସ୍ତେ ମଣିଷ କେମିତି ବଦଳି ଚାଲିଲା । ମଣିଷ ବଦଳିଲା, ତା’ ସହିତ ତା’ର ଶିଳ୍ପ, ସଭ୍ୟତା, ସାହିତ୍ୟ, ସଂସ୍କୃତି ସବୁକିଛି ମଧ୍ୟ ବଦଳି ଚାଲିଲା । ତା’ପରେ ମଣିଷ ଏମିତି ଏକ ସମୟରେ ଆସି ପହଞ୍ଚିଲା, ଯେତେବେଳେ କଥା ଶୁଣିବା ଅପେକ୍ଷା, କଥା କହିବା ପାଇଁ, ନିଜ ଭିତରେ ସେ ଉତ୍ତେଜନା ଅନୁଭବ କଲା ବେଶୀ । ମଣିଷ ଶୁଣିଲା ଜୀବନର ମନଗଢ଼ା କାହାଣୀ ନୁହଁ, ଜୀବନର ବାସ୍ତବ ଅନୁଭୂତିର ଗଳ୍ପ । ସେ ଗଳ୍ପରେ ରାଜକନ୍ୟା ଆଖିର ଅଶ୍ରୁ ମୁକ୍ତା ହେଲାନାହିଁ, ମିତା ଆଖିରୁ ମୁକ୍ତା ସବୁ ଲୁହ ହୋଇଗଲା । କିନ୍ତୁ ମଣିଷ ପାଖରେ ଯେତେ ବେଶୀ ଅନୁଭୂତି ଜମିଲା, ତା’ର ପ୍ରକାଶରେ ଆବେଗ ସେତେ ହେଲା ହ୍ରସ୍ୱ । କାରଣ ଅନ୍ୟର କଥା ଶୁଣିବା ପାଇଁ ମଣିଷ ପାଖରେ ସେ ଅଖଣ୍ଡ ଅବସର ଆଉ ରହିଲା ନାହିଁ (!) ରହିଲା ନାହିଁ ମଧ୍ୟ ପୂର୍ବର ସେ ଆବେଗ । ଅନୁଭୂତିର ତୀବ୍ରତା ଦିନେ ତା’ ଭିତରେ ଯେମିତି ଜଗାଇଥିଲା ଉପନ୍ୟାସର ମହାସମୁଦ୍ର, ପ୍ରକାଶର ଆବେଗ-ହୀନତା ସେହିପରି ତା’ ଭିତରେ ସୃଷ୍ଟି କଲା କାହାଣୀର କମ୍ପନ ।

 

—କିନ୍ତୁ କିଏ ଅବା ତା’ର କାହାଣୀ ଶୁଣିବ ! ସାରା ବିଶ୍ୱରେ ତ ରୁନ୍ଧି ହୋଇ ରହିଛି କାହାଣୀର ଜଟିଳ-ଜାଲ । ତା’ର ସେଥିପାଇଁ ଅବସର ଅବା କାହିଁ ! ମଣିଷର ଅପୂର୍ଣ୍ଣତା ଓ ଅବଶୋଷ ଭିତରେ, ତା’ର କଳା ଓ ସାହିତ୍ୟ ଅଣନିଃଶ୍ୱାସୀ ହୋଇ ଉଠି ଖୋଜିଲା ମୁକ୍ତିର ପଥ ଆଉ ସେଇ ପଥ ଦେଇ ହିଁ ମଣିଷ ହାତକୁ ଆସିଲା ଅଳ୍ପ କଥାର ଗଳ୍ପ ସବୁ । ଗଳ୍ପ ତ ନୁହେଁ, ଯେମିତି ଶବ୍ଦର ପିରାମିଡ୍‍ । ଆଜି ତା’ରି ଭିତରେ ମଣିଷ ଖୋଜୁଚି ନିଜର ବିଶ୍ୱାସକୁ, ଯେଉଁ ବିଶ୍ୱାସର ରହସ୍ୟମୟ ସ୍ପର୍ଶରେ ମୃତ୍ୟୁ ସୁଦ୍ଧା ଜୀବନ୍ତ । ତା’ର ଏ ଅନ୍ୱେଷା ଶେଷହୀନ....ତା’ ଅପୂର୍ଣ୍ଣତାର ଏ ପ୍ରବାହ ଅନିରୁଦ୍ଧ । ସେ ନିଜକୁ ଖୋଜେ ବୋଲି, ନିଜକୁ ଅନେକ ଭାବରେ ପାଏ । ‘ରାତିର ଅନ୍ଧାରରେ ଆଖିର ଅଶ୍ରୁକୁ ଆବିଷ୍କାର କରେ’ (ଆଲୋକର ଅଶ୍ରୁ) । ଆଉ ନିଜକୁ ପଚାରେ–‘ମୁଁ କିଏ ? କ’ଣ ମୋର ପରିଚୟ ?’ (ବିଚିତ୍ର ବସନ୍ତ), କୋଽହମ୍‌ ? ପାଏ ବି ତା’ର ଉତ୍ତର–‘x x ରାତି ପାହିଲେ ଯେଉଁ ମଣିଷଟିକୁ ସେମାନେ ଚିହ୍ନିଛନ୍ତି ଏକ ସୁଖୀ, ଧନୀ, ଜ୍ଞାନୀ ଭାବରେ, ରାତିର ଅନ୍ଧାରରେ ସେ ମଣିଷ ହୋଇଯାଏ କେତେ ଦୁଃଖୀ, ଦରିଦ୍ର ଓ କେତେ ଅଜ୍ଞାନ ! କେତେ ନିଃସଙ୍ଗ, କେତେ ନିଃସହାୟ ସତରେ (ଆଲୋକର ଅଶ୍ରୁ) ।

 

ନା, ଏସବୁ ବିଶ୍ୱରଞ୍ଜନ ବାବୁଙ୍କର ହିଁ ଅନୁଭବ । ସେ ଅନୁଭବର ପୃଥିବୀରେ ପହଞ୍ଚି ପାରିଲେ, ଗୋଟାଏ ପ୍ରାଣୋଚ୍ଛ୍ୱଳ ଶିଳ୍ପୀ ସତ୍ତାର ପରିଚୟ ମିଳିଯାଏ । ପରିଚୟ ମିଳେ ଜୀବନ ଓ ଯନ୍ତ୍ରଣାର । ‘କାରଣ ଯନ୍ତ୍ରଣାରୁ ହିଁ ସୃଷ୍ଟି । ଯନ୍ତ୍ରଣାରେ ହିଁ ଜୀବନ । ଜୀବନର ଅନ୍ୟନାମ ତ ଯନ୍ତ୍ରଣା’ (ଜୀବନର ଅନ୍ୟନାମ) । ସେଥିପାଇଁ ‘ପ୍ରେମ ତାକୁ ଧ୍ୱଂସ କରେ ନାହିଁ, ବରଂ ଗଢ଼େ । ତାକୁ ସ୍ରଷ୍ଟା କରେ । ସୃଷ୍ଟି ପାଇଁ ପ୍ରେରଣା ଦିଏ । ପ୍ରୀତି ଓ ପ୍ରଣୟର ନିଆଁରେ ନିଜକୁ ଯେତେ ବେଶୀ ସେ ଜାଳେ, ତା’ର ସୃଷ୍ଟି ହୁଏ ସେତେବେଶୀ ସଫଳ ସାର୍ଥକ’ (ଜୀବନର ଅନ୍ୟନାମ ।)

 

ଲେଖକର ପ୍ରାଣ ପ୍ରାଚୁର୍ଯ୍ୟର ସର୍ବୋତ୍କୃଷ୍ଟ ଫସଲ ହେଲା ତା’ର ସାହିତ୍ୟ । ସେଠି ଛଳନା କିମ୍ୱା ପ୍ରତାରଣାର ପ୍ରଶ୍ନ ଉଠେନା, ଆଉ ଯେଉଁଠି ଏସବୁ ସେ ଦେଖେ, ସେ ତା’ର ମୁଖା ଖୋଲିଦିଏ-। ତା’ର ବୁକୁରେ ବାଜେ ବିଦ୍ରୋହ ନୁହେଁ, ବ୍ୟଥାର ବଂଶୀ ।

 

‘ପେଟ ପିଠିର ଚିନ୍ତାରେ ଅହରହ ଘାଣ୍ଟି ହେଉଥିବା ଭୟ ଓ ଶୋଷଣରୁ ନିଜକୁ ମୁକ୍ତ କରି ସ୍ୱାଧୀନତାର ସ୍ୱପ୍ନ ଦେଖୁଥିବା ପାଖ ପଡ଼ୋଶୀ କିମ୍ୱା ଦୂର ଦୂରାନ୍ତର ସାଥୀ ମଣିଷଟିର ଦୁଃଖ ଦରଦକୁ ନିଜ ଅଣ୍ଟି ଭିତରକୁ ସେମାନେ ସାଉଁଟି ନେଇପାରିଲେ ନାହିଁ ବୋଲି, ନିଜ ସାହିତ୍ୟର ସମ୍ପତ୍ତି କଲେ ନାହିଁ’ (ଏବଂ ବୃହନ୍ନଳା) ବୋଲି ସେ ଦୁଃଖ କରେ । ଅମୃତ ପାନ କରି ଅମର ହେବାର ବାସନାରେ ସେମାନେ ବରଣ କରୁଥିବା ମୃତ୍ୟୁ ପାଇଁ ବିଶ୍ୱରଞ୍ଜନ ବାବୁଙ୍କ ‘ଅଳ୍ପ କଥାର ଗଳ୍ପ କେତୋଟି’ରେ ଶୁଭେ ସେଇ ଚିରନ୍ତନ ଶିଳ୍ପୀ ସତ୍ତାର ଯନ୍ତ୍ରଣାର ଯନ୍ତ୍ରଧ୍ୱନି ।

 

‘ଅଳ୍ପ କଥାର ଗଳ୍ପ କେତୋଟି’ର ପୃଥିବୀରେ ସୁନ୍ଦର ବେଳାଭୂମି ଥିବା ଗୋଟିଏ ସମୁଦ୍ର ଅଛି, ଯା’ ଭିତରେ ହଜିଯାଇଚି ଅସୁମାରି ନାଁ ଅଜଣା ନଦୀର ନୂପୁର ନିକ୍ୱଣ । ‘କାଚ କଣ୍ଢେଇ’ରେ ବିଶ୍ୱରଞ୍ଜନ ବାବୁ ନିଜେ ଯେମିତି ଏକ ଦୀର୍ଘ ଗଳ୍ପ; ‘ଅଳ୍ପ କଥାର ଗଳ୍ପ କେତୋଟି’ ସେଇ ଦୀର୍ଘ କାହାଣୀର କେତୋଟି ଭଗ୍ନାଂଶ, ଅନୁଭୂତିର ସବୁଜପତ୍ରରେ କେଇଟୋପା ବର୍ଷା ପାଣିର ଛିଟା, ତାଙ୍କ ‘ଜୀବନ ଚମ୍ପୂ’ର କେତୋଟି ଲଳିତ-କୋମଳ ଛନ୍ଦ ।

 

ନା, ‘ଅଳ୍ପ କଥାର ଗଳ୍ପ କେତୋଟି’ ପାଇଁ ମୁଁ କିନ୍ତୁ ବେଶୀ କଥା କହିଦେଲି । କେଉଁ ଅଜ୍ଞାତ ରହସ୍ୟମୟ କାରଣରୁ ବିଶ୍ୱରଞ୍ଜନ ବାବୁ ମୋତେ ଏହି ପୁସ୍ତକରେ ଗଳ୍ପଟିଏ କହିବାକୁ କହିଲେ, ତା’ ମୁଁ ଜାଣେନା । କିନ୍ତୁ ତାଙ୍କ ସ୍ନେହର ଏ ଋଣ’ଟିକୁ ଆପାତତଃ ବହନ କରିବା ବ୍ୟତୀତ ମୋର ଯେ ଅନ୍ୟପଥ ନାହିଁ !!!

 

ମୁଖ୍ୟ ଅଧ୍ୟାପକ, ଓଡ଼ିଆ ବିଭାଗ

ସାମନ୍ତ ଚନ୍ଦ୍ରଶେଖର ସାନ୍ଧ୍ୟ ମହାବିଦ୍ୟାଳୟ, ପୁରୀ

Image